ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରତି କରାଇଥିବା ଦାବି କଲେ ଟ୍ରମ୍ପ୍‌

ଦେଶବିଦେଶ
Spread the love

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ତାଙ୍କ ମଧ୍ୟସ୍ଥତା ଯୋଗୁ ହୋଇଛି। ଭାରତ ତାଙ୍କ ଦ୍ୱାରା ବାରମ୍ବାର ସମାନ ଦାବିକୁ ଖଣ୍ଡନ କରିବା ପରେ ବି ଟ୍ରମ୍ପ୍‌ ମିଛ ଡୁଙ୍ଗୁରା ପିଟି ଚାଲିଛନ୍ତି।
ଟ୍ରମ୍ପ ବୁଧବାର ଦିନ ଦୋହରାଇଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ଉଭୟର ନେତାମାନଙ୍କୁ କହିଥିଲେ କି ଯଦି ସେମାନେ ଅସ୍ତ୍ରବିତରି ନକରିନ୍ତି ତେବେ ସେ ବାଣିଜ୍ୟ ବନ୍ଦ କରିବେ। କେବଳ ଫୋନ୍ କଲ୍‌ ଜରିଆରେ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିଥିବା କହିଛନ୍ତି ଟ୍ରମ୍ପ । ତାଙ୍କ ଯୋଗୁଁ ପରମାଣୁ ଯୁଦ୍ଧ ଟଳି ଗଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ନେଦରଲ୍ୟାଣ୍ଡର ରାଜଧାନୀ ହେଗ୍‌ରେ ନାଟୋ ସମ୍ମିଳନୀ ଅବସରରେ ଭାରତ-ପାକ ଯୁଦ୍ଧ ବିରାମ ପ୍ରସଙ୍ଗ ଉଠାଇ ଟ୍ରମ୍ପ ପୁଣି ନିଜକୁ ଏହାର ଶ୍ରେୟ ଦେଇଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ଜଣେ ଭଦ୍ର ବ୍ୟକ୍ତି ଓ ମୋର ଭଲ ବନ୍ଧୁ । ତାଙ୍କୁ ବୁଝାଇ କହିଥିଲି, ଆପଣ ଯଦି ଯୁଦ୍ଧ କରିବେ ତେବେ ଆମେ ବାଣିଜ୍ୟ ଚୁକ୍ତି କରିବା ନାହିଁ । ମୋଦୀ କହିଥିଲେ ସେ ବାଣିଜ୍ୟ କରିବାକୁ ଚାହୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ବାଣିଜ୍ୟ ସମ୍ପର୍କିତ ସିରିଜ୍ କଲ୍ କାମରେ ଆସିଲା ।
ଦୁଇ ରାଷ୍ଟ୍ରକୁ କୁହାଯାଇଥିଲା ଯଦି ଯୁଦ୍ଧ କରିବ ତ ଆମେ କୌଣସି ବ୍ୟବସାୟିକ ବୁଝାମଣା କରିବୁ ନାହିଁ । ଠିକ୍‌ ସେହିପରି ଆମେରିକାର ଆକ୍ରମଣ ପରେ ହିଁ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରାମ ହେଲା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏପଟେ ଟ୍ରମ୍ପଙ୍କ ବୟାନକୁ ନେଇ ପୁଣି ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

Leave a Reply

Your email address will not be published. Required fields are marked *