କଟକ, ୨୬/୦୬ : ଆଜି କଟକ ଜିଲ୍ଲା ଅନ୍ତର୍ଗତ କନ୍ଦରପୁର ରାଜସ୍ୱ ସର୍କଲର ଦୁଇ କର୍ମଚାରୀ ଲାଞ୍ଚ ନେବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ରାଜସ୍ୱ ନିରୀକ୍ଷକ (ଆର.ଆଇ.) ଶ୍ରୀ ମନୋଜ କୁମାର ବେହେରା ଏବଂ ଅମିନ ଶ୍ରୀ ବିଚିତ୍ରାନନ୍ଦ ଶତପଥୀ। ଜଣେ ଦୋକାନୀଙ୍କଠାରୁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କନ୍ଦରପୁର ରାଜସ୍ୱ କାର୍ଯ୍ୟାଳୟ ନିକଟରୁ ଭିଜିଲାନ୍ସ ଟିମ୍ ସେମାନଙ୍କୁ କାବୁ କରିଛି।
ସୂଚନା ଅନୁଯାୟୀ, ଜଣେ ଅଭିଯୋଗକାରୀ (ଦୋକାନୀ) ନିଜର ଏକ କୃଷି ଜମିକୁ ଘରବାରି କିସମକୁ ପରିବର୍ତ୍ତନ କରିବା ପାଇଁ ଏକ ମ୍ୟୁଟେସନ ମାମଲା ଦାୟର କରିଥିଲେ। ଏହି ମାମଲାରେ ଅନୁକୂଳ ରିପୋର୍ଟ ଦେବା ସହ ତାଙ୍କ ନାମରେ ପଟ୍ଟା (ROR) ପ୍ରଦାନ କରିବା ପାଇଁ ଆର.ଆଇ. ଶ୍ରୀ ବେହେରା ଏବଂ ଅମିନ ଶ୍ରୀ ଶତପଥୀ ତାଙ୍କୁ ୧୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଗତ ଏକ ମାସରୁ ଅଧିକ ସମୟ ଧରି ଅଭିଯୋଗକାରୀ ଜଣକ ରିପୋର୍ଟ ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଲାଞ୍ଚ ନ ଦେଲେ କାମ ଆରମ୍ଭ ହେବନାହିଁ ବୋଲି ଉଭୟ ସଫା ସଫା ମନା କରିଦେଇଥିଲେ।
ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ଅଧିକାରୀମାନେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ବାବଦ ୧୨,୦୦୦ ଟଙ୍କା ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଟିମ୍ ଉଭୟ ଆର.ଆଇ. ଓ ଅମିନଙ୍କୁ ହାତେ ହାତେ ଧରିଥିଲା। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ସଫଳ ଧରପଗଡ଼ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆର.ଆଇ. ଶ୍ରୀ ବେହେରାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏବଂ ଅମିନ ଶ୍ରୀ ଶତପଥୀଙ୍କ ସହ ଜଡ଼ିତ ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (କେସ୍ ନଂ- ୧୭/୨୦୨୫) ଭ୍ରଷ୍ଟାଚାର ନିବାରଣ (ସଂଶୋଧିତ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଥିବା ବେଳେ ଏ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ପରେ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
