ଳ

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ମୂରଲୀଧର ରଥଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି: ଜନ୍ମମାଟିରେ ସ୍ମୃତିସଭା

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ : ବିଶିଷ୍ଟ ସମାଜସେବୀ, ପ୍ରବୀଣ ରାଜନେତା ତଥା କ୍ରାନ୍ତୀକାରୀ ଜନନେତା ସ୍ବର୍ଗତ ମୂରଲୀଧର ରଥଙ୍କ ଚତୁର୍ଦ୍ଦଶାହ ଅବସରରେ ତାଙ୍କ ଜନ୍ମମାଟି ଚାନ୍ଦପୁର ଗ୍ରାମରେ ଗତ ଶୁକ୍ରବାର ଦିନ ଏକ ଭାବଗମ୍ଭୀର ପରିବେଶ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଆୟୋଜିତ ଆଧ୍ୟାତ୍ମିକ ଓ ସାରସ୍ଵତ କାର୍ଯ୍ୟକ୍ରମରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଜଣେ ସ୍ପଷ୍ଟବାଦୀ, ନିର୍ଭିକ, ପରୋପକାରୀ ଓ ଆଦର୍ଶ ସମାଜସେବୀ ଭାବରେ ବର୍ଣ୍ଣନା କରିଥିଲେ। ସ୍ବର୍ଗତ ରଥଙ୍କ ଜୀବନଦର୍ଶନ ବର୍ତ୍ତମାନର ଯୁବସମାଜ ପାଇଁ ଏକ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ସ୍ଵାଧୀନତା ସଂଗ୍ରାମୀ ନିଶାମଣି ଖୁଣ୍ଟିଆ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ବେଶ୍ ପରିଚିତ ଥିଲେ। ନିଜର ଦୀର୍ଘ ରାଜନୈତିକ ଜୀବନରେ ସେ ୪ ଥର ପଟିଲୋ ପଞ୍ଚାୟତର ସରପଞ୍ଚ ଓ ୩ ଥର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତା ଓ ରାଜନୈତିକ ପରାକାଷ୍ଠା ପ୍ରତିପାଦନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଆଧ୍ୟାତ୍ମିକ, ସାମାଜିକ ଓ ସାଂସ୍କୃତିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ଅତିଥିମାନେ ସ୍ମୃତିଚାରଣ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନୀତି, ପ୍ରଶାସନ ଓ ସମାଜସେବାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବୀ ବିଶ୍ବାଳ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ପ୍ରାକ୍ତନ ଆୟକର ମୁଖ୍ୟ ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଆୟକର ସହକାରୀ କମିଶନର ମନୋରଞ୍ଜନ ରଥ ଏବଂ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରଥଙ୍କ ସ୍ମୃତିରେ ନିଜର ବକ୍ତବ୍ୟ ରଖିଥିଲେ।

ସ୍ବର୍ଗତ ରଥଙ୍କ ସୁପୁତ୍ର ଶରତ କୁମାର ରଥ, ହେମନ୍ତ କୁମାର ରଥ ଓ ପ୍ରଫୁଲ୍ଲ କୁମାର ରଥଙ୍କ ସମେତ ପରିବାରର ସଦସ୍ୟ ଡଃ ଯଜ୍ଞଦତ୍ତ ରଥ, ବିଭୁଦତ୍ତ ରଥ ଓ ଦେବୀଦତ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ମୂରଲୀଧର ରଥ ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ତଥା ଆଇନଜୀବୀ ଡଃ ବୀରନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *