Court

ନାବାଳିକା ଝିଅକୁ ଯୌନ ନିର୍ଯାତନା, ଅଭିଯୁକ୍ତ ପିତାକୁ ୭ ବର୍ଷ ଜେଲ୍ ଦଣ୍ଡ

ରାଜ୍ୟ
Spread the love

ବାଲେଶ୍ୱର: ସମ୍ପର୍କର ପବିତ୍ରତାକୁ କଳଙ୍କିତ କରି ନିଜ ୧୦ ବର୍ଷର ନାବାଳିକା ଝିଅକୁ ଯୌନ ନିର୍ଯାତନା ଦେଇଥିବା ଜଣେ ପାଷାଣ୍ଡ ପିତାକୁ ଆଜି ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଅଦାଲତ ଅଭିଯୁକ୍ତ ପିତା ବାଦଲ ସିଂକୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ବାସୁଖୁଣ୍ଟା ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ବାଦଲ ସିଂ ନିଜ ନାବାଳିକା ଝିଅକୁ ଦୀର୍ଘ ଦିନ ଧରି ଯୌନ ନିର୍ଯାତନା ଦେଇ ଆସୁଥିଲା । ପିତାର ଏଭଳି ପୈଶାଚିକ ବ୍ୟବହାରରେ ଅତିଷ୍ଠ ହୋଇ ନାବାଳିକା ଜଣକ ସମସ୍ତ ଘଟଣା ବିଷୟରେ ନିଜର ଜଣେ ସମ୍ପର୍କୀୟା ମାଉସୀଙ୍କୁ କହିଥିଲେ । ଏହା ଜାଣିବା ପରେ ମାଉସୀ ଜଣକ ଗତ ଜାନୁୟାରୀ ୨ ତାରିଖରେ ରେମୁଣା ଥାନାରେ ଏକ ଲିଖିତ ଅଭିଯୋଗ ଦାୟର କରିଥିଲେ ।

ପୋଲିସ ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ବାଦଲ ସିଂକୁ ଗିରଫ କରିଥିଲା । ଅଭିଯୁକ୍ତ ବିରୋଧରେ ଦୃଢ଼ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା ।

ଆଜି ମାନ୍ୟବର ଅଦାଲତ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଭାରତୀୟ ନ୍ୟାୟ ସଂହିତା (BNS) ତଥା ପୋକ୍ସୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିଜେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ଅନୁଧ୍ୟାନ କରୁଛନ୍ତି । ଏଭଳି ସଙ୍ଗୀନ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସେ ତଦନ୍ତକାରୀ ଅଧିକାରୀମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରି ତ୍ୱରିତ ଗତିରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପୋଲିସର ଉନ୍ନତ ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡ଼ିତା ଏବଂ ସାକ୍ଷୀମାନଙ୍କ ଦୃଢ଼ ବୟାନ ଯୋଗୁଁ ଏହି ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି ।

ଏହି ମାମଲାର ତଦନ୍ତ ଭାର ରେମୁଣା ଥାନା ସବ୍-ଇନ୍ସପେକ୍ଟର ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଉପରେ ନ୍ୟସ୍ତ ଥିବାବେଳେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *