Supremecourtwikimediacommons 1068x665

ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ୍‌ରେ ମତଭେଦ ଦେଖାଯାଇଛି। ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିପୁଲ ଏମ୍ ପାଞ୍ଚୋଲିଙ୍କ ନାମକୁ ସୁପ୍ରିମକୋର୍ଟର ବିଚାରପତି ପଦ ପାଇଁ ସୁପାରିସ କରାଯାଇଛି। ତେବେ ଜଷ୍ଟିସ ପାଞ୍ଚୋଲିଙ୍କ ନାମ ସୁପାରିସକୁ କଲେଜିୟମ୍‌ର ସଦସ୍ୟ ଜଷ୍ଟିସ ବିଭି ନାଗରତ୍ନା ବିରୋଧ କରିଛନ୍ତି। ନିଜର ଅସନ୍ତୋଷ ପଛରେ ଆଞ୍ଚଳିକ ଭାରସାମ୍ୟ ଅସମାନତାକୁ ଜଷ୍ଟିସ ନାଗରତ୍ନା କାରଣ ଭାବେ ଦର୍ଶାଇଛନ୍ତି। ଜଷ୍ଟିସ ନାଗରତ୍ନା କହିଛନ୍ତି ଯେ ସୁପ୍ରିମକୋର୍ଟରେ ଗୁଜରାଟ ହାଇକୋର୍ଟର ଦୁଇ ଜଣ ବିଚାରପତି ଏବେ କାର୍ଯ୍ୟରତ ଅଛନ୍ତି। ସେମାନେ ହେଲେ ଜେବି ପର୍ଡିୱାଲା ଓ ଏନଭି ଅଞ୍ଜାରିଆ। ତେଣୁ ତୃତୀୟ ବିଚାରପତି ଭାବେ ଜଷ୍ଟିସ ପାଞ୍ଚୋଲିଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତି ଦିଆଗଲେ ଆଞ୍ଚଳିକ ଭାରସାମ୍ୟ ରହିବ ନାହିଁ। ଜଷ୍ଟିସ ପାଞ୍ଚୋଲିଙ୍କ ପ୍ୟାରେଣ୍ଟ ହାଇକୋର୍ଟ ହେଉଛି ଗୁଜରାଟ। ପାଞ୍ଚୋଲି ୨୦୧୪ରେ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୬ରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ। ୨୦୨୩ରେ ସେ ପାଟନା ହାଇକୋର୍ଟକୁ ବଦଳି ହୋଇଥିଲେ। ୨୦୨୫ ଜୁଲାଇ ୨୧ରେ ସେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଜଷ୍ଟିସ ପାଞ୍ଚୋଲି ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଲେ ୨୦୩୧ ଅକ୍ଟୋବରରେ ସେ ପ୍ରଧାନ ବିଚାରପତି ହେବେ ଓ ଏହି ପଦରେ ସେ ପ୍ରାୟ ଦୁଇବର୍ଷ ପାଇଁ ରହିବେ। ଜଷ୍ଟିସ ପାଞ୍ଚୋଲିଙ୍କ ସହିତ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆଲୋକ ଆରାଧେଙ୍କ ନାମକୁ ମଧ୍ୟ ସୁପ୍ରିମକୋର୍ଟ ବିଚାରପତି ପଦ ଲାଗି ସୁପାରିସ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ୍ ପକ୍ଷରୁ ସରକାରଙ୍କୁ ନାମ ସୁପାରିସ କରାଯାଇଥାଏ। ସୁପ୍ରିମକୋର୍ଟର ପ୍ରଧାନ ବିିଚାରପତି ଭୂଷଣ ରାମକୃଷ୍ଣ ଗବଇ, ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଜେକେ ମାହେଶ୍ବରୀ, ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେଇ ସୁପ୍ରିମକୋର୍ଟ କଲେଜିୟମ୍ ଗଠିତ।

Leave a Reply

Your email address will not be published. Required fields are marked *