କଟକ : ସ୍ୱାଧୀନତା ପୂର୍ବର ସର୍ବ ପୁରାତନ ବିଦ୍ୟାଳୟ ଭାବେ ସ୍ଥାପିତ ବେଣ୍ଟକାର ଏମ.ଇ ସ୍କୁଲ ୧୯୩୫ ମସିହାରେ ଓ ବେଣ୍ଟକାର ହାଇସ୍କୁଲ ୧୯୫୮ମସିହାରେ ସରକାରୀ ସ୍ୱୀକୃତି ଲାଭ କରି ସମଗ୍ର ଜିଲ୍ଲାରେ ତଥା ରାଜ୍ୟରେ ଶିକ୍ଷାଦାନ କ୍ଷେତ୍ରରେ ତାର ସୁନାମର ବିଜୟ ଧାରା ଜାରି ରଖିଛି । କେତେ ଜ୍ଞାନୀ ଗୁଣୀ, ଶିକ୍ଷାବିତ, ବିଦ୍ୱାନ, ପଣ୍ଡିତ, ପୁଲିସ, ଡାକ୍ତର, ଓକିଲ, ଇଞ୍ଜିନିୟର, ବୈଜ୍ଞାନିକ, ସଫଳ ଚାଷୀ, ବ୍ୟବସାୟୀ, କୁଶଳୀ କାରିଗର, ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ, ବିଚାରପତି ଓ ସମାଜସେବୀଙ୍କ ମୁଳୁଦୁଆ ଏ ବିଦ୍ୟାଳୟ ଗଢିଛି। ଏହା କେବଳ ୪୨ମୌଜା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ନୁହେଁ। ଏହା ରାଜ୍ୟ ଗଣଶିକ୍ଷା ବିଭାଗ ପାଇଁ ମଧ୍ୟ ଗର୍ବ ଓ ଗୌରବର କଥା। ମାତ୍ର ବିଦ୍ୟାଳୟରେ ଅବସ୍ଥାପିତ ବର୍ତମାନର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷା ବିଭାଗର ନିୟମ ମାନୁ ନାହାନ୍ତି, ସର୍ବ ସମୁଖରେ ଛାତ୍ର ଛାତ୍ରୀ ମାନଙ୍କୁ ଖୋଲା ସ୍ଥାନରେ ଦୀର୍ଘ ସମୟ ଧରି ଆଣ୍ଠେଇ ଦେବା, ପରିଚାଳନା କମିଟିର ନିଷ୍ପତିକୁ କମିଟିର ସଭାପତି ବ୍ୟବସ୍ଥା ଭିତିକ ଭାବେ ଜଣାଇଲେ ତାହା ଗ୍ରହଣ ନକରିବା ଭଳି ସତ୍ୟ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ଓ ଖବର କାଗଜରେ ପ୍ରକାଶିତ ହୋଇ ବିଦ୍ୟାଳୟର ସୁନାମରେ ଆଞ୍ଚ ଆଣିଛି।
ଏ ଘଟଣା ବିଦ୍ୟାଳୟରେ ଅଧୟନରତ ବିଦ୍ୟାର୍ଥୀଙ୍କ ଅଭିଵାବକ ତଥା ଅଞ୍ଚଳବାସୀଙ୍କୁ ଗଭୀର ଆଘାତ ଦେଇଛି। ସେଥିପାଇଁ “ମୋ ସ୍କୁଲ ଅଭିଯାନ”ରେ ବିଦ୍ୟାଳୟକୁ ସର୍ବାଧିକ ଅନୁଦାନ ଦେଇଥିବା ଆଲମୁନି, ପୂର୍ବତନ ଛାତ୍ର ତଥା ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଲେବର ପୋଗ୍ରେସିଭ ଫେଡେରେସନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଓଡିଶା ରାଜ୍ୟ ସଭାପତି ତଥା ବରିଷ୍ଠ ଜାତୀୟ ଉପ ସଭାପତି ବୀରେନ୍ଦ୍ର ପ୍ରସାଦ ଦାସ, ଆଲମୁନି ଇ° ଅଶୋକ କୁମାର ବିଶ୍ୱାଳ, ଅଧ୍ୟାପକ ସ୍ୱାଧୀନ ଶେଖର ଷଡ଼ଙ୍ଗୀ, ଅବସରପ୍ରାପ୍ତ ଜିଲ୍ଲା ବନ ଅଧିକାରୀ ଅନାଦି ଚରଣ ଦାସ ଏବଂ ପୁରାତନ ଛାତ୍ର ତଥା ୪୨ମୌଜା ଯାଦବ ମହାସଭା ସଭାପତି ବରିଷ୍ଠ ସାମ୍ବାଦିକ ବୁଲେଇ ବେହେରା ପ୍ରମୁଖ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏହାର ବିହିତ ନିରାକରଣ ପାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ରାଜ୍ୟ ଗଣ ଶିକ୍ଷା ବିଭାଗର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦୃଢ଼ ଦାବୀ ଜଣାଇଛନ୍ତି।
