ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ, ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ, ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟପାଳ

କୋରାପୁଟ
Spread the love


କୋରାପୁଟ,୧୦/୯: ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କ କୋରାପୁଟ ଜିଲ୍ଲା ଗସ୍ତର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମ ବହୁଳ ରହିଥିଲା। ରାଜ୍ୟପାଳ ଦ୍ଵିତୀୟ ଦିନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ସୁନାବେଡ଼ା ହାଲ , ରାଜପୁଟ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ,ଦେଓମାଳୀ ଓ ପୁଙ୍ଗାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ବିଭାଗୀୟ ଅଧିକାରୀ / କର୍ମକର୍ତ୍ତା ଏବଂ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଶିକ୍ଷା ଅନୁଷ୍ଠାନର ପ୍ରଗତି ବିଷୟରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ।ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା, ଭାରପ୍ରାପ୍ତ କୁଳସଚିବ ଡ଼. ରାକେଶ କୁମାର ଲେଙ୍କା, ବରିଷ୍ଠ ଅଧ୍ୟାପକ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧିକାରୀମାନେ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସମୀକ୍ଷା ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଣ୍ଡା ବିଶ୍ବବିଦ୍ୟାଳୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ । ମାନ୍ୟବର ରାଜ୍ୟପାଳ କହିଥିଲେ ଯେ ଗୁଣାତ୍ମକ ଶିକ୍ଷା ପାଇଁ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକ ଅତ୍ୟନ୍ତ ଆବଶ୍ୟକ। ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ଓ ଉଚ୍ଚ ପ୍ରଶିକ୍ଷିତ ଶିକ୍ଷକଙ୍କୁ ଦ୍ୱାରା ଅନୁପ୍ରାଣିତ ହେବେ ବୋଲି ରାଜ୍ୟପାଳ କହିଥିଲେ l

ବିଶ୍ୱବିଦ୍ୟାଳୟର ମାନ୍ୟତା ବଢ଼ାଇବା ପାଇଁ ଦୁଇଟି ପ୍ରଧାନ ମାନଙ୍କ ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ l ରାଜ୍ୟପାଳ ଡ଼. କମ୍ଭମପାଟି ବିଶ୍ୱବିଦ୍ୟାଳୟରେ ନାମଲେଖା ହ୍ରାସ ପଛରେ ଥିବା ଚ୍ୟାଲେଞ୍ଜଗୁଡ଼ିକୁ ଚିହ୍ନଟ କରି ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ ବିଷୟରେ ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ ଓ ନୂଆକରି ଆରମ୍ଭ କରାଯାଇଥିବା ବିଭିନ୍ନ ବିଷୟଗୁଡ଼ିକୁ ଭବିଷ୍ୟତର ଆବଶ୍ୟକତା ବୋଲି କହିବା ସହିତ ଏହା ଉପରେ ସନ୍ତୋଷ ପ୍ରକାଶ କରିଥିଲେ l କୋରାପୁଟ ବିଧାୟକ ରଘୁରାମ ମାଛ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋଟପାଡ ବିଧାୟକ ରୁପୁ ଭତ୍ରା, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସପି ରୋହିତ ବର୍ମାଙ୍କ ସମେତ ବିଶ୍ୱବିଦ୍ୟାଳୟ ର ପ୍ରଫେସର ଓ କର୍ମଚାରି ମାନେ ଉପସ୍ଥିତ ଥିଲେ । ଏହାପରେ ସୁନାବେଡ଼ା ସ୍ଥିତ ସୁଖୋଇ ଇଞ୍ଜିନ କାରଖାନା ପରିଦର୍ଶନ କରିବା ସହ ହାଲ ସଭାଗୃହ ଠାରେ ଅଧିକାରୀ ମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିଥିଲେ। ତାପରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ମିଲେଟ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ସେଠାରେ କିପରି ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଛି ଏବଂ ଏହାର ବିକ୍ରି କିପରି କରାଯାଉଛି ତାହାକୁ ନେଇ ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ,କୋରାପୁଟ ବିଧାୟକ ରଘୁରାମ ମାଛ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବରିଆ, ଉପାଧ୍ୟକ୍ଷ ଶିବ ବାଙ୍ଗାରି , ସରପଞ୍ଚ ପି.କେ.କିରସାନିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ପର୍ଯ୍ୟଟନ ସ୍ଥଳୀ ଦେଓମାଳି ପରିଦର୍ଶନ କରିଥିଲେ। ଦେଓମାଳି ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ କଣ କଣ କାର୍ଯ୍ୟକ୍ରମ ରହିଛି ଏବଂ ଆହୁରି କଣ ଦରକାର ତାହାକୁ ନେଇ ରାଜ୍ୟପାଳ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ବନଖଣ୍ଡ ଅଧିକାରୀ କେ ଭି ଭାସ୍କର ରାଓଙ୍କୁ ପଚାରି ବୁଝି ଥିଲେ।ଦେଓମାଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବା ପରେ ପୁଙ୍ଗାର ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ।ଏଠାରେ ବିଭିନ୍ନ ବିଭାଗ ଦ୍ବାରା ପ୍ରଦର୍ଶିତ କରାଯାଇଥିବା ଉନ୍ନୟନମୂଳକ ଷ୍ଟଲ ପରିଦର୍ଶନ କରିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟି ତ୍ରୀ ଏବଂ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ।ଏହାପରେ ମହିଳା ଗୋଷ୍ଠୀ ସଦସ୍ୟା, ଲକ୍ଷପତି ଦିଦି ଏବଂ ସୁଭଦ୍ରା ହିତାଧିକାରୀ ମାନଙ୍କ ସହ ରାଜ୍ୟପାଳ ଆଲୋଚନା କରିବା ପରେ କୋରାପୁଟ ଫେରି ଆସିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୁପା ରୋଶନ ସାହୁ, କୋରାପୁଟ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *