ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ୩ଗୋଟି ସ୍ୱତନ୍ତ୍ର ୱେବ୍ ସାଇଟକୁ ଉନ୍ମୋଚିତ କରାଯାଇଛି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର, ୧୧/୯: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆଜି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ୩ଗୋଟି ସ୍ୱତନ୍ତ୍ର ୱେବ୍ ସାଇଟକୁ ଉନ୍ମୋଚିତ କରାଯାଇଛି। ଏଥିସହ ସଂସ୍କୃତି ବିଭାଗ ଅଧିନସ୍ଥ ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଏବଂ ଉତ୍କଳ ମଣ୍ଡପର ଅନଲାଇନ ବୁକିଂ ପାଇଁ ମଧ୍ୟ ଗୋଟିଏ ସ୍ୱତନ୍ତ୍ର “ମଣ୍ଡପ ୱେବ୍ ସାଇଟ୍”କୁ ଉନ୍ମୋଚିତ କରାଯାଇଛି।

“ଆଜି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୪ ଗୋଟି ୱେବ୍ ସାଇଟକୁ ଉନ୍ମୋଚିତ କରାଯାଇଛି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଶା ଲଳିତ କଳା ଏକାଡେମୀ ପାଇଁ ଉନ୍ମୋଚିତ ହୋଇଥିବା ୩ ଗୋଟି ୱେବ୍ ସାଇଟ୍ ମାଧ୍ୟମରେ ଏକାଡେମୀ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ଜନସାଧାରଣଙ୍କ ଅବଗତି ସମ୍ବନ୍ଧରେ ଉପଲବ୍ଧ କରାଯାଇପାରିବ। ଏଥିସହ “ମଣ୍ଡପ ୱେବ୍ ସାଇଟ୍” ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଏବଂ ଉତ୍କଳ ମଣ୍ଡପର ଅନ୍‌ଲାଇନ୍‌ ବୁକିଂ କରାଯାଇପାରିବ। ମଣ୍ଡପମାନଙ୍କରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ମଣ୍ଡପ ୱେବ୍ ସାଇଟରେ ସୂଚନା ପ୍ରଦାନ କରାଯିବ”, ବୋଲି କହିଛନ୍ତି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।

ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିବା “ମୋ ସ୍ବପ୍ନର ଓଡ଼ିଶା-୨୦୩୬” ଚିତ୍ରକଳା ପ୍ରତିଯୋଗିତାର ସମୁଦାୟ ୫୬ଜଣ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଥିବା “ଘରେ ଘରେ ତ୍ରିରଙ୍ଗା” କାର୍ଯ୍ୟକ୍ରମରେ ଭାଗନେଇଥିବା ସ୍ବେଚ୍ଛାସେବୀମାନଙ୍କ ମଧ୍ୟରୁ ୧୫ଜଣ ଶ୍ରେଷ୍ଠ ସ୍ବେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ସମସ୍ତ ବିଜେତା ଓ ସ୍ବେଚ୍ଛାସେବୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ବିକଶିତ ଓଡ଼ିଶା-୨୦୩୬ ଗଠନ କରିବା ଦିଗରେ ଯୁବ ପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। “ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସ୍ବପ୍ନ ସାକାର ହେବ, ବିକଶିତ ଓଡ଼ିଶା ଗଠନ ହେବ। ପୂର୍ବୋଦୟର ଏହି ପବିତ୍ର ମାଟିରୁ ବିକାଶର ସୂର୍ଯ୍ୟୋଦୟ ହେବ” ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀମତୀ ଦେବଯାନୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *