ସମ୍ବଲପୁର ବିଶ୍ୱବିଦ୍ୟାଳୟ ୩୫ତମ ସମାବର୍ତ୍ତନ ଉତ୍ସବ

ରାଜ୍ୟ ସମ୍ବଲପୁର
Spread the love

ସମ୍ବଲପୁର,୧୩/୯: ଭାରତର ଭବିଷ୍ୟତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଯୁବ ଯୁବବର୍ଗ ନୀତିବାନ, ଦାୟିତ୍ୱବାନ ଏବଂ ବିଶ୍ୱସ୍ତରୀୟ ସକ୍ଷମ ନାଗରିକ ହେବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଚଳିତ ସେପ୍ଟେମ୍ବର ୧୩ ତାରିଖ ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତି ବିହାରର ୩୫ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଦେଇଛନ୍ତି । ଏହି ସମାରୋହରେ ଗ୍ରାଜୁଏଟିଂ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଉଦବୋଧନ ଦେଇ ୨୦୪୭ ମସିହା ସୁଦ୍ଧା ଭାରତକୁ ଆଗେଇ ନେବା ସହ ବିକଶିତ ଭାରତର ସ୍ବପ୍ନ ସାକାର କରିବା ପାଇଁ ଯୁବବର୍ଗ ମଶାଲ ବାହକ ହେବାକୁ ଆହ୍ୱାନ ଜଣାଇଥିଲେ । ରାଜ୍ୟପାଳ କହିଥିଲେ ଯେ ଛାତ୍ରଛାତ୍ରୀଙ୍କର ଆଜିର ସଫଳତା ବର୍ଷ ବର୍ଷର କଠିନ ପରିଶ୍ରମ, ଶିକ୍ଷକଙ୍କ ମାର୍ଗଦର୍ଶନ ଏବଂ ପରିବାରର ଅଟଳ ସମର୍ଥନ ଉପରେ ନିର୍ମିତ । ସମାବର୍ତ୍ତନ ଦିବସ କେବଳ ଏକ ଉତ୍ସବ ନୁହେଁ ବରଂ ଦାୟିତ୍ୱ ଓ ସେବାର ଏକ ନୂତନ ଯାତ୍ରା ଆରମ୍ଭ କରିବାର ଏକ ମାଇଲଖୁଣ୍ଟ ।
୧୯୬୭ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ବିଶ୍ୱବିଦ୍ୟାଳୟର ଅବଦାନ ସମ୍ପର୍କରେ ଅବତାରଣା କରି ପଶ୍ଚିମ ଓଡିଶା ଏବଂ ପଶ୍ଚିମ ଓଡିଶା ବାହାରେ ଯୁବ ପିଢିଙ୍କୁ ପୋଷଣ କରିବା ଏବଂ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ବିଶ୍ୱବିଦ୍ୟାଳୟର ଯୋଗଦାନକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଜ୍ୟୋତି ବିହାରର ଶାନ୍ତିକାନ୍ତ କ୍ୟାମ୍ପସରୁ ବିଶ୍ୱବିଦ୍ୟାଳୟ ନିରନ୍ତର ଭାବରେ ଶିକ୍ଷାଗତ ଉତ୍କର୍ଷତାକୁ ଚରିତ୍ର ଗଠନ ଏବଂ ସେବା ମନୋଭାବ ସହ ଜଡିତ କରିଛି ।ସାଂପ୍ରତିକ ବର୍ଷ ମାନଙ୍କରେ ଏହା ଶିକ୍ଷାଦାନ ଓ ଗବେଷଣାକୁ ମଜବୁତ କରିଛି ନବ ସୃଜନକୁ ଗ୍ରହଣ କରିଛି ଏବଂ ଉତ୍କର୍ଷତା ଏବଂ ସାମାଜିକ ଦାୟିତ୍ୱ ପ୍ରତି ଏହାର ପ୍ରତିବନ୍ଧତାକୁ ବଜାୟ ରଖିଛି ବୋଲି ରାଜ୍ୟପାଳ କହିଛନ୍ତି । ପୁଣି ରାଜ୍ୟପାଳ କହିଥିଲେ ଯେ ଶିକ୍ଷାଗତ ସଫଳତା ଠାରୁ ଆହୁରି ମଧ୍ୟ ଆଗକୁ ବଢିବା ଉଚିତ । ଚରିତ୍ର ବିନା ଜ୍ଞାନ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ହୋଇ ପାରିବ ନାହିଁ । ଉଚ୍ଚ ଶିକ୍ଷାର ସଂସ୍କାର ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ହେଉଛି ଏକ ପ୍ରକୃତ ପରିବର୍ତ୍ତନକାରୀ ଢାଞ୍ଚା ଯାହା ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ମାନଦଣ୍ଡ ସହିତ ସମନ୍ୱିତ କରିଥାଏ ଏବଂ ଏଥିରେ ଆମର ସାଂସ୍କୃତିକ ନୈତିକତା ଦୃଢ଼ ଭାବରେ ମୂଳ ହୋଇ ରହିଛି ।
ଆନ୍ତଃବିଭାଗୀୟ କାର୍ଯ୍ୟକ୍ରମ, ବାଧ୍ୟତାମୂଳକ ଇଣ୍ଟର୍ନସିପ, ଉଦ୍ୟମିତା, ପରିବେଶଗତ ଅଧ୍ୟୟନ ଏବଂ ବିପର୍ଯ୍ୟୟ ପରିଚାଳନା ଉପରେ ପାଠ୍ୟକ୍ରମ ପ୍ରଚଳନ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରୂପାୟନ କରିଛି । ଏହି ପଦକ୍ଷେପ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ଦ୍ରୁତ ଗତିରେ ବିକଶିତ ହେଉଥିବା ବିଶ୍ୱ ଦୃଷ୍ଟିପଟରେ ସଫଳ ହେବା ପାଇଁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟବୋଧ ସହିତ ସଜ୍ଜିତ କରୁଛି ବୋଲି ରାଜ୍ୟପାଳ କହିଛନ୍ତି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ରାଜ୍ୟପାଳ ସ୍ୱାଗତ କରିଥିଲେ ।
ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡିକ ଓଡିଶା ଲୋକଙ୍କ ଖୁସି, ସମୃଦ୍ଧି ଏବଂ କଲ୍ୟାଣ ବୃଦ୍ଧି କରିବା ଉପରେ ଧ୍ୟାନ ଦେବା ଉଚିତ ବୋଲି କହିବା ସହିତ ମାତୃଭାଷାରେ ଶିକ୍ଷାଦାନକୁ ଯଥୋଚିତ ଗୁରୁତ୍ୱ ଦେବା ସମ୍ପର୍କରେ ଆଲୋକପାତ କରିଥିଲେ ।ଓଡିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବାକୁ ହେଲେ ଶିକ୍ଷା ପଦ୍ଧତିକୁ ଆହୁରି ଗୁଣାତ୍ମକ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଏବଂ ଗବେଷଣାର ବିକାଶ ପାଇଁ ବିଭିନ୍ନ ଯୋଜନାରେ ୧୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିବା ସହିତ ଏହା ରାଜ୍ୟରେ ଉଚ୍ଚ ଶିକ୍ଷାକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ । ଏତତ ବ୍ୟତୀତ ସମ୍ବଲପୁର ମାଟିର ମହାନତା ସମ୍ପର୍କରେ ଅବତାରଣା କରିଥିଲେ ।
ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାବର୍ତ୍ତନ ସମାରୋହରେ କୃତୀ ଗବେଷକଙ୍କୁ ପିଏଚଡି, ଡି.ଏସସି, ଡି.ଲିଟ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ଏବଂ ଚାନସେଲର କପ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *