୨୭ରେ ଗଞ୍ଜାମ ଆସିବେ ପ୍ରଧାନମନ୍ତ୍ରୀ

ଜିଲା ଖବର ବ୍ରହ୍ମପୁର ରାଜ୍ୟ
Spread the love

ବ୍ରହ୍ମପୁର,୧୪/୯: ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଗସ୍ତରେ ଆସିବେ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେବାପକ୍ଷ ପାଳନ ଅବସରରେ ମୋଦୀ ଏଠାକୁ ଆସିବା ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ତେବେ କେଉଁ ସବୁ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ତାହା ଚୂଡ଼ାନ୍ତ ‌ହୋଇନାହିଁ। ଏହି ମର୍ମରେ ଆସନ୍ତା ସୋମବାର ଭର୍ଚୁଆଲ୍‌ ବୈଠକ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ମିଳିଛି।

ସେପ୍ଟେମ୍ବର ୧୭ ମୋଦୀଙ୍କ ଜନ୍ମଦିନଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯାଉଛି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର କାର୍ଯ୍ୟକ୍ରମରେ ଯୋଗ ଦେବେ। ତେଣୁ ୨୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ‌ସେ ଗଞ୍ଜାମ କାର୍ଯ୍ୟକ୍ରମ ସାରି ଫେରି ଯାଇପାରନ୍ତି। ଏଥିଲାଗି ଗୋପାଳପୁରଠାରେ ରାଜ୍ୟସ୍ତରୀୟ ଯୁବ ସମାବେଶ କରିବାକୁ ଧାର୍ଯ୍ୟ ‌ହୋଇଛି। ରବିବାର ରାତି ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କେଉଁଠି ହେବ ତାହା ସ୍ଥିର କରାଯିବ। ପ୍ରାୟ ୩ଲକ୍ଷ ଲୋକ ଏଥିରେ ଯୋଗ ଦେବା ନେଇ ଆକଳନ କରାଯାଉଛି। ଏଥିସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ଯୋଜନା ହୋଇଛି।

‘ଗେଲ୍‌’ ପକ୍ଷରୁ ସହରାଞ୍ଚଳ ଗ୍ୟାସ୍‌ ବିତରଣ ଚୂଡ଼ାନ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିପାରନ୍ତି। ସେହିପରି ସହର ଉପକଣ୍ଠରେ ଅନ୍ୟ କିଛି କାର୍ଯ୍ୟକ୍ରମର ଯୋଜନା ରହିଛି। ଗୋପାଳପୁର ବନ୍ଦର ଓ ଟାଟା ଏସ୍‌ଇଜେଡ୍‌ ଭିତରେ ମଧ୍ୟ କିଛି ପ୍ରକଳ୍ପର ସେ ଶୁଭାରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ବ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ନେଇ ଜିଲ୍ଲାବାସୀ ଓ ବିଜେପି ଶିବିର ବେଶ୍‌ ଉତ୍ସାହିତ ରହିଛି।

Leave a Reply

Your email address will not be published. Required fields are marked *