ଝଙ୍କଡ଼, ୧୬/୯: ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ , ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଗତ ସେପ୍ଟେମ୍ବର ୧୪ ତାରିଖ ରବିବାର ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆସନ୍ତା ସେପ୍ଟେମ୍ବର ୨୯ ତାରିଖ ସୋମବାର ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୬ ଦିନ ପର୍ଯ୍ୟନ୍ତ ବୈଦିକ ବିଧିବିଧାନ ରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ପ୍ରତିଦିନ ପ୍ରାତଃ ସମୟରେ ମଙ୍ଗଳ ଆଳତି, ମଧୁସ୍ନାନ, ଦଶଦିଗପାଳ ପୂଜା, ପାର୍ଶ୍ଵ ଦେବଦେବୀ ପୂଜା, ପଞ୍ଚାମୃତ ମାର୍ଜନା ପରେ ଅପୂର୍ବ ମନୋରମ ବେଶ ରେ ମାଆଙ୍କୁ ସଜ୍ଜିତ କରାଯାଇଥାଏ । ଦୈନିକ ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପ୍ରଥମ ପ୍ରହର ଧୂପ, ବଡସିଂହାର, ଷୋଡ଼ଶ ଉପଚାର ପୂଜା ଓ ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ କରାଯାଇଥିବା ବେଳେ, ସନ୍ଧ୍ୟାଆରତୀ ବେଶ ଦର୍ଶନ ପରେ, ନାଟ୍ୟ ମଣ୍ଡପରେ ପୁରାଣପଣ୍ଡା ଙ୍କ ଦ୍ଵାରା ଶୂଦ୍ରମୁନି ଆଦିକବି ସାରଳା ଦାସ ଙ୍କ ବିରଚିତ ଚଣ୍ଡୀ ପୁରାଣ ପାଠ ସହିତ ପ୍ରତିଦିନ ରାତି ୧୦ ଟା ବେଳେ ସମ୍ପୂର୍ଣ୍ଣ ସୁନାବେଶ ଦର୍ଶନ ଆଦି ନୀତି କାନ୍ତି ଋତିନିତି ରେ ସମାହିତ ହୋଇଥାଏ। ଆସନ୍ତା ସେପ୍ଟେମ୍ୱର ୨୨ ତାରିଖ ଠାରୁ ନବରାତ୍ର ଉପଲକ୍ଷେ ରାତି ୯ ଟା ବେଳେ ମାଆଙ୍କର ଚଳନ୍ତିପ୍ରତିନିଧି ବିଜେପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ନଗରପରିକ୍ରମା ବା ଦାଣ୍ଡଯାତ୍ରା ରେ ବିଜେ କରାଯାଏ।ସମ୍ମୁଖ ରେ ବନ୍ଦିଆ ଜଳୁ ଥାଏ, ଆଲଟ, ଚାମର ପଡ଼ୁଥାଏ, ଛତା, ତରାସ ଚଳିବା ସହିତ ଘଣ୍ଟ ଘଣ୍ଟା କାହାଳୀ, ଭେରି ତୁରୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନିରେ ଝଙ୍କଡ ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠେ । ୧ ମ ଦିନ ପାଚିରୀ କଣ ବାଟ, ୨ ୟ ଦିନ ଗୋବିନ୍ଦଜୀଉ ଙ୍କ ମଠ, ୩ ୟ ଦିନ ଗୋପାଳ ମାନଙ୍କ ଗୋଠ, ୪ ଥ ଦିନ ସାରଳା ପର୍ଶୁରାମ ଭେଟ, ୫ ମ ଦିନ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ବମ୍ବର ଘାଟ ଓ ୬ ଷଷ୍ଠ ଦିବସରୁ ଦଶହରା ପର୍ଯ୍ୟନ୍ତ, ବଡଶାରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ପ୍ରାଚୀନ ପୀଠ ସ୍ଥଳି କୁ ଯାତ୍ରା କରି ପୁନଶ୍ଚ ସ୍ଵପୀଠ କୁ ପ୍ରତ୍ୟାବର୍ତ୍ତନ କରି ଥାଆନ୍ତି। ଆସନ୍ତା ସେପ୍ଟେମ୍ବର ୨୭/୨୮/୨୯ ତାରିଖ ତିନି ଦିନ ଷଷ୍ଠୀ, ସପ୍ତମୀ ଓ ମହାଷ୍ଟମୀ ଦିନ ସଂଧ୍ୟାର ଅପୂର୍ବ ମହିଷମର୍ଦ୍ଦିନୀ ବେଶରେ ମାଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ରାତି ୧୦ ଟା ବେଳେ କାକିକା ନୃତ୍ୟ ପରିବେଷଣ କରାଯାଏ। ମହାଷ୍ଟମୀ ଦିନ ମାଆ ପ୍ରାଚୀନ ପୀଠ ଲଣ୍ଡାଦେଉଳରୁ ଫେରିବା ପରେ, ମନ୍ଦିର ସୌଧ କରାଯାଇ, ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବା ପରେ ସନ୍ଧିପୂଜା ବସେ । ଅଷ୍ଟମୀ ଯାଉଥିବ ଓ ନବମୀ ଆସୁଥିବ ଏହି ସନ୍ଧି କ୍ଷଣ କୁ ସନ୍ଧିପୂଜା ବୋଲି ଅଭିହିତ କରାଯାଏ।
ପୂର୍ବ କାଳରେ ଏହି ପୂଜା ରେ ଏକ ଜୀବନ୍ତ ମହିଷ କୁ ହତ୍ୟା କରାଯାଉ ଥିଲା। ମାତ୍ର ୧୯୪୬ ମସିହାରେ ଏ ଅଞ୍ଚଳ ର ସଂସ୍କାରବାଦୀ, ସର୍ବଭାରତୀୟ ଶ୍ରମିକ ନେତା ତଥା ତିର୍ତ୍ତୋଲ ର ପୂର୍ବତନ ବିଧାୟକ ସଂଗ୍ରାମୀ ନିଶାମଣି ଖୁଣ୍ଟିଆ ଙ୍କ ଗଣ ଆନ୍ଦୋଳନ ଫଳରେ ଏହି ଜଘନ୍ୟ ବଳୀପ୍ରଥା ର ଉଚ୍ଛେଦ ଘଟିଛି। ତେବେ ଏହି ବଳୀ ପରିବର୍ତ୍ତେ, ସନ୍ଧିପୂଜାରେ ୧୦୮ ପ୍ରକାରର ଭୋଗ ସହିତ ଏକ ବଳୀପଣl ହାଣ୍ଡି ମାଆଙ୍କୁ ଅର୍ପଣ କରାଯାଇ ଥାଏ। ଏହି ପାର୍ବଣ ପୂଜାରେ ମଣ୍ଡଭୋଗ ଏକ ସ୍ବତନ୍ତ୍ର ନୀତି କରାଯାଇଥିବା ବେଳେ, ନୂଆଧାନ ରୁ ପ୍ରସ୍ତୁତ ଚୁଡାଘଷା ଭୋଗ ମଧ୍ୟ ଭକ୍ତ ମାନେ ନିଜ ହାତରେ ପ୍ରସ୍ତୁତ କରି ମାଆଙ୍କୁ ଭୋଗ ଲାଗି କରିଥାଆନ୍ତି। ସେ୍ଟେମ୍ବର ୩୦ ତାରିଖ ଓ ଅକ୍ଟୋବର ୧ ତାରିଖ ଦୁଇ ଦିନ ବିଶ୍ରାମ ପଡୁଥିବାରୁ, ଏହି ସମୟରେ , ମନ୍ଦିରର ସମ୍ମୁଖଦ୍ଵାର ବନ୍ଦ ରୁହେ । ଦକ୍ଷିଣ – ପଶ୍ଚିମ ଦ୍ଵାର ଦେଇ ଶ୍ରଦ୍ଧାଳୁ ଭକ୍ତମାନେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ଥାଆନ୍ତି। ସମସ୍ତ ନିତୀକାନ୍ତି ମଧ୍ଯ ଯଥାରୀତି କରାଯାଉଥିବା ବେଳେ, ନିଶବ୍ଦ ପୂଜା ପାଇଁ, ଘଣ୍ଟ ଘଣ୍ଟା କାହାଳୀ ଆଦି କୌଣସି ବାଦ୍ୟ ବାଦନ କରାଯାଏ ନାହିଁ। ୨ ତାରିଖ ଦିନ ପୀଠେ ଦଶହରା ଉପଲକ୍ଷେ, ମନ୍ଦିରର ମୁଖ୍ୟଦ୍ଵାର ଓ ଯଜ୍ଞଶାଳl ରେ ବସିଥିବା ସମର୍ଜନୀ କଳସ କୁ ଏକ ବର୍ଣ୍ଣାଢ଼୍ୟ ପଟୁଆର ରେ ବେଢ଼ା ପରିକ୍ରମା କରିବା ପରେ, ଚନ୍ଦନ ପୁଷ୍କରିଣୀ ରେ ବିସର୍ଜନ କରିବା ପରେ ହିଁ ଏହି ଶାରଦୀୟ ପାର୍ବଣ ପୂଜା ର ପରି ସମାପ୍ତି ହେଇଥାଏ। ତେବେ ଏହି ସମସ୍ତ ନୀତି କାନ୍ତି ପରିଚାଳନା କରିବା ନିମନ୍ତେ, ମାଆଙ୍କ ବଡପଣ୍ଡା, ପରିଚ୍ଛା, ପୁରୋହିତ, ପୁସ୍ତକl ଚାର୍ଯ୍ୟ , ସମସ୍ତ ସେବାୟତ ଓ ଛତିଶା ନିଯୋଗ ସହିତ, ଦେବୋତ୍ତର ବିଭାଗ ର ସାରଳା ମନ୍ଦିରର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବାର ଦେଖିବକୁ ମିଳିଥାଏ।
