ଭୁବନେଶ୍ୱର,୧୮/୯ : ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସରକାର ସୁରୁଖୁରୁରେ ଅଧିବେଶନ ଚଳାଇବାକୁ ଚାହୁଁଥିବାବେଳେ କେତେକ ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ ବିଜେଡି ଏବଂ ଶାସକ ଭାଜପାର ବିଧାୟକଦଳ ବୈଠକ ଅନୁଷ୍ଠିତ ହୋଇସାରିଛି। ଗୁରୁବାର ବିଜେଡି ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବୀ ହେବା ସ୍ଥିର ହୋଇଛି।
ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭହୋଇ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିବ। ତେବେ ବିଧାନସଭାରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ବିଜେଡି ବିଧାୟକ ଦଳ ବୈଠକରେ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ହେଲେ ଏହି ସ୍ବଳ୍ପ ଦିନିଆ ଅଧିବେଶନରେ କୌଣସି ପ୍ରସଙ୍ଗ ଉପରେ କିଛି ଆଲୋଚନା ନ କରି କେବଳ ବିରୋଧ ପ୍ରଦର୍ଶନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହକୁ କିପରି ବନ୍ଦ କରିହେବ ତାହା ହିଁ କରିବାକୁ ସବୁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ବୈଠକରେ ଏହି କଥାକୁ କେତେଜଣ ବରିଷ୍ଠ ବିଧାୟକ ଗ୍ରହଣ କରି ନ ଥିଲେ। ବିରୋଧ କରାଯିବ ହେଲେ ଯେଉଁ ବିଷୟ ଗୃହରେ ଉଠାଯିବ ତା’ଉପରେ ଆଲୋଚନା ନ କରି ଖାଲି ହୋହଲ୍ଲା କଲେ କିଛି ଲାଭ ନାହିଁ ବୋଲି କେତେଜଣ ବରିଷ୍ଠ ବିଧାୟକ ମତ ରଖିଥିଲେ। କିନ୍ତୁ ଏହାକୁ ବୈଠକରେ ଗ୍ରହଣ କରାଯାଇ ନ ଥିଲା, କେବଳ ବିରୋଧ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସୂଚନା ମିଳିଛି।
ଅନ୍ୟପଟେ ପ୍ରେସ୍ ବିଜ୍ଞପ୍ତିରେ ଉଦ୍ବୋଧନ ଦେଇ ନବୀନ କହଛନ୍ତି, ବିଧାନସଭାର ମୌସୁମୀ ଅଧିବେଶନ ସଂକ୍ଷିପ୍ତ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ । ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥତ୍କ କ୍ଷମତା ବୃଦ୍ଧି ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଦୃଢ ବିରୋଧ କରାଯିବ। ଏହା ବ୍ୟତୀତ ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବି କରାଯିବ ବୋଲି ସେ କହିଛନ୍ତି।
