ଝଂକଡ, ୧୨/୧୦: ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ଅନୁଦାନ ରେ ସାରଳାପୀଠର ନବୀକରଣ କାର୍ଯ୍ୟ ପାଇଁ ଭିତର ବେଢ଼ାର ସମ୍ପ୍ରସାରଣ ନିମନ୍ତେ , ମାଆଙ୍କ ସିଂହଦ୍ୱାର ଟିକେ ଆଗକୁ ବଢ଼ିଯାଇଥିଲା। ସମ୍ମୁଖରେ ଥିବା ଦୋଳ ମଣ୍ଡପରେ ପୂର୍ବରୁ ହନୁମାନଙ୍କ ମନ୍ଦିର ରହିଥିବାରୁ, ସିଂହଦ୍ୱାର ସମ୍ମୁଖ ସ୍ଥାନ ଟି ଶଙ୍କୁଚିତ ହୋଇ ଯାଇଥିଲା। ଯାହା ଫଳରେ ଯାତାୟାତ କ୍ଷେତ୍ରରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା ଓ ଯାନିଯାତ୍ରା ପର୍ବପର୍ବାଣୀ ରେ ପାରମ୍ପରିକ ନିତିକାନ୍ତି ମଧ୍ୟ ବାଧାପ୍ରାପ୍ତ ହେଉଥିଲା। ତେଣୁ ହନୁମାନ ଜୀଉ ଙ୍କ ମନ୍ଦିର କୁ ପଛକୁ ଉଠାଇଦେବାକୁ ସେବାୟତ ମାନଙ୍କ ତରଫରୁ ବିଭିନ୍ନ ଗଣମାଧ୍ୟମରେ ଦାବୀ କରାଯାଇଥିଲା। ଯାହାକୁ ଦୃଷ୍ଟିରେ ରଖି ଠିକାଦାର ସଂସ୍ଥା ପକ୍ଷରୁ ୨୦ ଫୁଟ ପଛରେ ଏକ ପ୍ରସ୍ତର ନିର୍ମିତ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଗତ ଶନିବାର ଦିନ ପୂର୍ବାହ୍ନରେ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ବୈଦିକ ରୀତିନୀତି ସମ୍ପନ୍ନ ହେବାପରେ , ହନୁମାନ ଜୀଉ ଙ୍କ ବିଗ୍ରହ କୁ ନୂତନମନ୍ଦିରର ସିଂହାସନ ଉପରେ ପ୍ରତିଷ୍ଠା କରଯାଇଥିଲା। ଯାହା ଫଳରେ ସିଂହଦ୍ୱାର ସମ୍ମୁଖ ସମ୍ପ୍ରସାରିତ ହେବା ସହିତ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନଙ୍କ ଯାତାୟାତ କ୍ଷେତ୍ରରେ ଅସୁବିଧାର ଆଶୁ ସମାଧାନ ହୋଇପାରିଥିବାରୁ,ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି।
