ଆଦାନୀ-ଆଇଏଚ୍‌ସି ୨.୧୦ ଲକ୍ଷ କୋଟି ନିବେଶ କରିବେ; ଏମ୍‌ଓୟୁ ସ୍ବାକ୍ଷରିତ

ରାଜ୍ୟ
Spread the love

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ୟୁଏଇ ଗସ୍ତ ସମୟରେ ଆଦାନୀ ଗ୍ରୁପ୍‌ ଓ ଆବୁଧାବିର କମ୍ପାନି ଇଣ୍ଟରନ୍ୟାସନାଲ୍‌ ହୋଲ୍‌ଡିଂ କର୍ପୋରେସନ (ଆଇଏଚ୍‌ସି) ମଧ୍ୟରେ ବୁଝାମଣା ହୋଇଛି। ଉଭୟ ସଂସ୍ଥା ୧୪ଟି ପ୍ରକଳ୍ପରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେମାନେ ୨,୧୦,୫୦୦ କୋଟି ଟଙ୍କା ନିବେଶ କରିବାକୁ ମନ ବଳାଇଛନ୍ତି। ଏହି ନିବେଶ ଦ୍ବାରା ପ୍ରାୟ ୮.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଆଜିର ବୈଠକରେ ଆଦାନୀ ଗ୍ରୁପ ତରଫରୁ କରନ ଆଦାନୀ, ସାଗର ଆଦାନୀ, ଆଇଏଚ୍‌ସି ଗ୍ରୁପ୍‌ର ଏମ୍‌ଡି ଓ ସିଇଓ ସଇଦ ବସର ସୁଏନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଧାତବ, ବିରଳ ମୃତ୍ତିକା, କ୍ରିଟିକାଲ୍‌ ମିନେରାଲ, ବନ୍ଦର ଭିତ୍ତିକ ଏସ୍‌ଇଜେଡ୍‌, କୋଇଲାରୁ ରସାୟନ ଆଦି କ୍ଷେତ୍ରରେ ନିବେଶ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଆବୁଧାବି ସ୍ଥିତ ଆଇଏଚ୍‌ସି ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଓଡ଼ିଶାରେ ରହିଥିବା ନିବେଶ ସୁଯୋଗ ସନ୍ଧାନ କରିବା ଲାଗି ଆସିବାକୁ ମୁଖ୍ୟମନ୍ତ୍ରୀ ଆଇଏଚ୍‌ସି ଗ୍ରୁପ୍‌ ଓ ଏହାର ସହାୟକ କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରିଥିଲେ। ଏଥି ସହିତ ଇଣ୍ଡିଆନ ବିଜନେସ୍‌ ଆଣ୍ଡ୍‌ ପ୍ରଫେସନାଲ ଗ୍ରୁପ୍‌ (ଆଇବିପିଜି) ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
ବୈଠକରେ ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍‌ଚରିଂ କ୍ଷେତ୍ରରେ ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ପାଇଁ ମଧ୍ୟ ସୁଯୋଗ ଆଲୋଚନା ହୋଇଥିଲା। ରୁଚି, ଫାର୍ମ ବି, ବି ୱାନ, ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନି ଯୋଗଦେଇଥିଲେ। ଏଥିରେ ଆଇବିପିଜି ସଭାପତି ରାଜୀବ ଶାହ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *