ବେଜିଂ, ୨୫/୧୦ : ପାଞ୍ଚ ବର୍ଷର ବିରତି ପରେ ଆସନ୍ତା ୨୬ ତାରିଖରୁ ପୁଣି ଥରେ ଭାରତ ଓ ଚୀନ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ଘୋଷଣା କରିଛି ଯେ ଏହା ଅକ୍ଟୋବର ୨୬ରୁ କୋଲକାତା-ଗୁଆଙ୍ଗଝୋଉ ବିମାନ ଏବଂ ନଭେମ୍ବର ୧୦ରୁ ଦିଲ୍ଲୀ-ଗୁଆଙ୍ଗଝୋଉ ବିମାନ ସେବା ପୁଣି ଆରମ୍ଭ କରିବ।
ସେପଟେ ଚୀନ୍ ବିମାନ କମ୍ପାନୀ ଚାଇନା ଇଷ୍ଟର୍ଣ୍ଣ ଘୋଷଣା କରିଛି ଯେ ଏହା ନଭେମ୍ବର ୯ ରୁ ସାଂଘାଇ-ଦିଲ୍ଲୀ ବିମାନ ସେବା ପୁନରାରମ୍ଭ କରିବ। ଉଡ଼ାଣ ପୁନଃଆରମ୍ଭ ହେବା ବିଷୟରେ ପଚରାଯିବାରୁ, ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୁଓ ଜିଆକୁନ୍ ଏକ ଗଣମାଧ୍ୟମ ବ୍ରିଫିଂରେ କହିଛନ୍ତି ଯେ ଏହା ଦୁଇ ଦେଶ ମଧ୍ୟରେ ଚୁକ୍ତିନାମା କାର୍ଯ୍ୟକାରୀ କରିବାରେ ସର୍ବଶେଷ ଅଗ୍ରଗତି। ଏହା ଚୀନ୍ ଏବଂ ଭାରତର ୨୮୦ କୋଟିରୁ ଅଧିକ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଆଦାନପ୍ରଦାନକୁ ସୁଗମ କରିବା ପାଇଁ ଏକ ସକାରାତ୍ମକ ପଦକ୍ଷେପ ହେବ। ଏହା ବନ୍ଧୁତ୍ବର ନୂଆ ଉଡ଼ାଣ ହେବ ।
୫ ବର୍ଷ ଧରି ବନ୍ଦ ଥିଲା ବିମାନ ସେବାସୂଚନାଯୋଗ୍ୟ ଯେ ୨୦୨୦ରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ ଦୁଇ ଦେଶର ସମ୍ପର୍କ ଖରାପ ହୋଇଥିଲା । ଫଳରେ ସିଧାସଳଖ ବିମାନ ସେବାକୁ ବନ୍ଦ କରିଦିଆଯାଇଥିଲା । ଏବେ ସମ୍ପର୍କରେ ସୁଧାର ଆସିଥିବାରୁ ପୁଣି ଥରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।
