ଇସଲାମାବାଦ, ୩୦/୧୦: ଇସ୍ତାନବୁଲ୍ରେ ହୋଇଥିବା ପାକ୍-ଆଫଗାନ୍ ଶାନ୍ତି ଆଲୋଚନାକୁ ବଡ଼ ଝଟ୍କା ଲାଗିଛି। ପାକିସ୍ତାନ ନିଜ ଅଂଚଳରେ ସକ୍ରିୟ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ଓ ସୀମା ସୁରକ୍ଷା ପ୍ରସଙ୍ଗରେ ବିଭିନ୍ନ ସର୍ତ୍ତ ଉପସ୍ଥାପନ କରିବା ପରେ ତାଲିବାନ ସରକାର ଏହି ଆଲୋଚନାରୁ ଓହରିଯାଇଛି। ଏହି ଆଲୋଚନା ସମୟରେ ଯେଉଁ ସବୁ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ତାହା ପାଳନ ହେବନାହିଁ। ଆଜିି ତାଲିବାନ ପାକିସ୍ତାନକୁ ସୀମା ବିବାଦ ପ୍ରସଙ୍ଗରେ ଚରମ ବାଣୀ ଶୁଣାଇଛି। ପାକିସ୍ତାନ ପରମାଣୁ ଭୟ ଦେଖାଇଲେ, ଅତି ଭୟାନକ ଶାସ୍ତି ଭୋଗିବ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି।
ଅନ୍ୟପକ୍ଷରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ କହିଛନ୍ତି ଯେ ତାଲିବାନ ଆମର ଯୁକ୍ତିସଙ୍ଗତ ଦାବିକୁ ଗ୍ରହଣ କରିନାହିଁ । ତୁର୍କୀର ଇସ୍ତାନବୁଲ୍ରେ ୧୭ ଅକ୍ଟୋବର ୨୦୨୫ରୁ ଆରମ୍ଭ ହୋଇଥିବା ଚାରି ଦିନିଆ ଆଲୋଚନାରେ ସାଂପ୍ରତିକ ସଙ୍କଟର ସମାଧାନ ପାଇଁ ଯେଉଁ ସବୁ ନିଷ୍ପତ୍ତି ହୋଇଥିଲା ତାହାକୁ ଏବେ କାବୁଲ ପାଳନ କରିବ ନାହିଁ ବୋଲି ସଙ୍କେତ ମିଳିଥିବା ଆସିଫ୍ କହିଛନ୍ତି। ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା ମଧ୍ୟ ଏବେ ଅପ୍ରାସଙ୍ଗିକ ହୋଇପଡ଼ିଛି। ଆସିଫ୍ ଆଫଗାନ ସରକାରକୁ ‘ନୂଆଦିଲ୍ଲୀର ଅସ୍ତ୍ର’ ବୋଲି କହି ଭାରତ ପାକିସ୍ତାନ ବିରୋଧରେ ପ୍ରକ୍ସି ଯୁଦ୍ଧ ଚଳାଇଥିବା ଦାବି କରିଛନ୍ତି। କାବୁଲରେ ଯାହା ଚାଲୁଛି, ତା’ର ନିୟନ୍ତ୍ରଣ ଦିଲ୍ଲୀ ହାତରେ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ପଶ୍ଚିମ ସୀମାରେ ଭାରତ ନିଜର ପରାଜୟଜନିତ କ୍ଷତି ଭରଣା ପାଇଁ ଏବେ ଆଫଗାନିସ୍ତାନକୁ ବ୍ୟବହାର କରୁଛି ବୋଲି ଆସିଫ୍ କହିଛନ୍ତି। ଆଫଗାନ ପ୍ରତିରକ୍ଷା ମନ୍ତ୍ରୀ ମୁଲ୍ଲା ମହମ୍ମଦ ଯାକୁବ କହିଛନ୍ତି, ପାକିସ୍ତାନ ଓ ଏହାର ସମର୍ଥକ ଅନ୍ୟ କିଛି ଦେଶ ରାଜନୈତିକ ଲାଭ ପାଇଁ ଆମ ଉପରେ ଆତଙ୍କବାଦର ଛାପ ଲଗାଉଛନ୍ତି।
