ଝାରସୁଗୁଡା, ୧୦/୧୧: ପୁଣି ଅଲୋଡା ହେଲା ଶିଶୁ କନ୍ୟା। ଝାରସୁଗୁଡା ଜିଲ୍ଲା ବାଗଦେହି ଅଞ୍ଚଳରେ ଥିବା ଏକ ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପରିତ୍ୟକ୍ତ ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏବଂ କିଏ ନବଜାତ ଶିଶୁକୁ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଝାରମୁଣ୍ଡର ପିଇଓ ବାଗଦେହିର କାଦୋବାହଲ ଜଙ୍ଗଲ ଦେଇ ଯାଉଥିବା ସମୟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ସବୁଆଡ଼େ ଖୋଜିବା ପରେ, ସେ ପଥର ଗଦା ନିକଟରେ କପଡ଼ାରେ ଗୁଡ଼ା ହୋଇଥିବା ଅବସ୍ଥାରେ ଏକ ନବଜାତ ଶିଶୁକନ୍ୟା ପଡ଼ିଥିବା ଦେଖିବାକୁ ପାଇଥିଲେ। ପିଇଓ ଜଣକ ଶିଶୁଟିକୁ ଉଦ୍ଧାର କରି ବାଗଦେହି ଆଉଟପୋଷ୍ଟରେ ପୋଲିସକୁ ହସ୍ତାନ୍ତର କରିଥିଲେ। ଶିଶୁଟି ବର୍ତ୍ତମାନ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତା’ର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
