ବାଲି ଦର ଧାର୍ଯ୍ୟ କରିବେ ସରକାର: ଲାଗୁ ହେବ ଏମ୍‌ଏସ୍‌ପି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ବର, ୨୩/୧୧: ସାରା ରାଜ୍ୟରେ ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ ଏମ୍‌ଏସ୍‌ପି (ସର୍ବାଧିକ ବିକ୍ରୟ ମୂଲ୍ୟ) ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ୍ ଧାର୍ଯ୍ୟ କରିବେ, ବାଲିଘାଟ ଲିଜ୍‌ଧାରୀ ସେହି ଦାମ୍‌ରେ ଲୋକଙ୍କୁ ବାଲି ବିକ୍ରି କରିବେ। ଯିଏ ଅଧିକ ଦାମ୍‌ରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ ଉପରେ ମୋହର ମାରିବା ପରେ ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବାଲି ଚୋରି ରୋକିବା ଏବଂ ବାଲି ମାଫିଆଙ୍କୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର କେତେକ ନୂଆ ପଦକ୍ଷେପ ନେଇଛନ୍ତି। ଏଣିକି ଇ-ନିଲାମ ପରିବର୍ତ୍ତେ ଇ-ଲଟେରି ମାଧ୍ୟମରେ ବାଲିଘାଟଗୁଡ଼ିକୁ ଲିଜ୍ ଦିଆଯିବ। ସେହିପରି ବାଲି ମାଫିଆମାନେ ଘାଟରୁ ବାଲି ନେଇ ବିଭିନ୍ନ ସ୍ଥାନରେ ଗଚ୍ଛିତ ରଖିବା ସହ ଅଧିକ ଦାମ୍‌େର ବିକୁଥିବା ଅଭିଯୋଗ ହେଉଛି।

ଏହାକୁ ନଜରରେ ରଖି ରାଜ୍ୟ ସରକାର ବାଲି ଗଚ୍ଛିତ ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଜାରି କରିବେ। ଏହା ବାଲି ସମେତ ବିଭିନ୍ନ ଲଘୁ ଖଣିଜ ପଦାର୍ଥ ପାଇଁ ଲାଗୁ ହେବ। ବିନା ଷ୍ଟୋରେଜ୍‌ ଲାଇସେନ୍ସରେ କେହି ବେଆଇନ ଭାବେ ବାଲି କି ଅନ୍ୟ କୌଣସି ଲଘୁ ଖଣିଜ ପଦାର୍ଥ ଗଚ୍ଛିତ କରି ରଖିପାରିବେ ନାହିଁ। ଯିଏ ରଖିବେ ସରକାର ତାକୁ ଜବତ କରିବେ। ସେହିପରି ଓଭରଲୋଡ଼ିଂ ଏବଂ ହାଇଗ୍ରେଡ୍‌ ଖଣିଜ ପଦାର୍ଥକୁ ଲୋ-ଗ୍ରେଡ୍‌ ଦର୍ଶାଇ ହେଉଥିବା ଅନିୟମିତତା ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ। ଲିଜ୍‌ ଅଞ୍ଚଳକୁ ଛାଡ଼ି ଅନ୍ୟ ଅଞ୍ଚଳରେ ଖଣି ଖନନ ବା ଅତ୍ୟଧିକ ଖନନ ଉପରେ ରୋକ୍ ଲାଗିବ। ଏବେ ଆଉ ମନୁଷ୍ୟକୃତ ଭାବେ ନୁହେଁ, ସଂପୂର୍ଣ୍ଣ ଡିଜିଟାଲ୍‌ ଜ୍ଞାନକୌଶଳ ପଦ୍ଧତିରେ ଖଣିଜ ପଦାର୍ଥଗୁଡ଼ିକର ମାନ ନିରୂପଣ, ନମୁନା ପରୀକ୍ଷଣ, ଷ୍ଟକିଂ ହେବ। ଯେଉଁଠି ଚୋରା ଖଣିଜ ପଦାର୍ଥ ଜବତ ହେବ, ସେଠାରେ ପୋର୍ଟେବଲ୍ ଆନାଲାଇଜର୍‌ ମାଧ୍ୟମରେ ଗ୍ରେଡ୍‌ ଟେଷ୍ଟ କରାଯିବ। ସବୁ ଖଣିରେ ଆର୍‌ଏଫ୍‌ଆଇଡି ବୁମ୍ ବ୍ୟାରିୟର ଲଗାଯିବ। ଏହାଦ୍ବାରା ଖଣିରୁ ମାଲବାହୀ ଗାଡ଼ି ବାହାରିବା ସମୟରେ ଟ୍ରାକିଂ କରାଯାଇପାରିବ। ପୂର୍ବରୁ ଅଧିକ ପ୍ରିମିୟମ ଦେଇ ତାକୁ ଭରଣାର ଆଳ ଦେଖାଇ ଗ୍ରେଡ୍‌ ମ୍ୟାନେଜମେଣ୍ଟରେ ହେରଫେର ହେଉଥିଲା। ତେଣୁ ଏହାକୁ ସଂପୂର୍ଣ୍ଣ ରୋକିବା ପାଇଁ ନୂଆ ନିୟମ ଲାଗୁ କରାଯାଇଛି। ଓଡ଼ିଶା ଖଣିଜ ପଦାର୍ଥ (ବେଆଇନ ଖଣି ଖନନ ନିବାରଣ ଏବଂ ବାଣିଜ୍ୟ, ପରିବହନ ଓ ସଂରକ୍ଷଣ ନିୟନ୍ତ୍ରଣ) ୨୦୨୫ ନିୟମାବଳୀରେ ଏହି ସବୁ ବ୍ୟବସ୍ଥା ହୋଇଛି।

ରାଜ୍ୟ ସରକାର ବାଲି ଓ ଅନ୍ୟାନ୍ୟ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ରୋକିବାକୁ ଅନେକ ପଦକ୍ଷେପ ନେଇଥିବା କହୁଥିଲେ ହେଁ ବିଜେଡି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛି। ବି‌େଜଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଇ-ଲଟେରି ମାଧ୍ୟମରେ ବାଲିଘାଟ, ଲଘୁ ଖଣି ଲିଜ୍ ଦେବା ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ୍। ଯେତେବେଳେ କୌଣସି ଉପାୟ ନଥାଏ ସେତେବେଳେ ଲଟେରି କରାଯାଏ। ଦକ୍ଷତା ନଥିଲେ ଲୋକ ଲଟେରି କରନ୍ତି। ଲଟେରି କରିବା ହେଉଛି ସରକାରଙ୍କ ଅପାରଗତା। ନିଲାମ କରିବା ଦ୍ୱାରା ରାଜସ୍ୱ ବଢ଼ିଥାଏ। ନିଜ ଦଳର କର୍ମୀ ଲାଭ ପାଇବା ପାଇଁ ବିଜେପି ସରକାର ଏ ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ବିଜେପି ନେତାମାନେ ଜୋର ଜବରଦସ୍ତ ଭାବେ ସାରା ରାଜ୍ୟରେ ବାଲି ଉତ୍ତୋଳନ କରୁଛନ୍ତି। ତେଣୁ ଏହା ଉପରୁ ନଜର ହଟାଇବା ପାଇଁ ଏପରି ଯୋଜନା କରାଯାଉଛି। ବାଲିରେ ମାଫିଆରାଜ ଚାଲିଛି। ବାଲିର ପ୍ରକୃତ ଦର ଅପେକ୍ଷା ୧୦ ଗୁଣା ଦାମ୍ ନିଆଯାଉଛି। ବାହାର ରାଜ୍ୟକୁ ବାଲି ଚାଲାଣ ହେଉଛି। ନଦୀକୁ ବାନ୍ଧି ବାଲି ଉଠାଯାଉଛି। ଫଳରେ ନଦୀ ମରିବ, ସଭ୍ୟତାର ପତନ ହେବ। ମୁଁ ସରକାରକୁ ଚ୍ୟାଲେଞ୍ଜ ଦେଉଛି, ଆସନ୍ତା ବର୍ଷ ଏ ସମୟରେ ଏବଂ ବର୍ତ୍ତମାନ ସମୟରେ ସରକାର କେତେ ଲାଭ ପାଇଛନ୍ତି, ତାର ହିସାବ ଦେଖନ୍ତୁ। କେତେ ଲାଭ ହୋଇଛି କହିବେ।ଯଦି ଇ-ଲଟେରି ବ୍ୟବସ୍ଥା ଏତେ ଭଲ ତେବେ ବିଜେପିର ତ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି। ତାକୁ ଲଟେରି ମାଧ୍ୟମରେ କାହିଁକି ବାଛୁନାହାନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *