ଫେବୃଆରୀ ସୁଦ୍ଧା ମାଓବାଦୀଙ୍କ ସମୂହ ଆତ୍ମସମର୍ପଣ ପ୍ରତିଶ୍ରୁତି

ଅପରାଧ ଦେଶବିଦେଶ
Spread the love

ମୁମ୍ବଇ, ୨୫/୧୧: ଆସନ୍ତାବର୍ଷ ଫେବୃଆରୀ ସୁଦ୍ଧା ମାଓବାଦୀମାନେ ସମୂହ ଆତ୍ମସମର୍ପଣ କରିବେ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ସଂଗଠନ ପକ୍ଷରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଏଭଳି ପ୍ରତିଶ୍ରୁତି ଦିଆଯାଇଛି। ସୂଚନାଯୋଗ୍ୟ ଏହି ତିନି ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ କମ୍ବିଂ ଅପରେସନ କରାଯାଉଥିବାବେଳେ ଏକାଧିକ ମାଓବାଦୀ ଓ ସେମାନଙ୍କର କମାଣ୍ଡର ପ୍ରାଣ ହରାଇସାରିଲେଣି। ଏଥିରେ ଭୟଭୀତ ହୋଇ ଲାଲବାହିନୀ ବର୍ତ୍ତମାନ ଆତ୍ମସମର୍ପଣ ପାଇଁ ଏକପ୍ରକାର ବାଧ୍ୟ ହୋଇଛି। ମାଓ ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଚିଠିରେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ଦେଶର ଆଭ୍ୟନ୍ତରୀଣ ସ୍ଥିତିକୁ ସମୀକ୍ଷା କରାଯିବାପରେ ମାଓ ସଂଗଠନ ଏଭଳି ନିଷ୍ପତ୍ତିରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ମାଓ ନେତାଙ୍କ ସହ ଆଲୋଚନା କରାଯାଇ ଆତ୍ମସମର୍ପଣର ପଦ୍ଧତି ନିର୍ଦ୍ଧାରଣ କରାଯିବ ବୋଲି ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଛି।ଏହି ଅନୁରୋଧ ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରାଯାଇଛି। ଅପରପକ୍ଷରେ ଏହି ତିନି ରାଜ୍ୟରେ ସକ୍ରିୟ ଥିବା ମାଓବାଦୀଙ୍କୁ ସଂଯମତା ଅବଲମ୍ବନ କରିବାକୁ ମହାରାଷ୍ଟ୍ର-ମଧ୍ୟପ୍ରଦେଶ-ଛତିଶଗଡ ସ୍ପେସାଲ ଜୋନାଲ କମିଟି ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆତ୍ମସମର୍ପଣ ସମ୍ପର୍କିତ ଏହି ଖବରକୁ କିଛି ଦିନ ରେଡିଓରେ ପ୍ରସାରଣ କରିବାକୁ ସଂଗଠନ ତିନି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ଫଳରେ ଅପହଞ୍ଚ ଇଲାକାରେ ଆତ୍ମଗୋପନ କରିଥିବା ମାଓବାଦୀଙ୍କ ନିକଟରେ ଏହି ସମ୍ବାଦ ପହଞ୍ଚି ପାରିବ। ସୂଚନାଯୋଗ୍ୟ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀଙ୍କୁ ନିପାତ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପୂର୍ବରୁ ଘୋଷଣା କରିସାରିଛନ୍ତି। ବିଗତ କିଛି ମାସ ମଧ୍ୟରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଏକାଧିକ ତୁଙ୍ଗ ମାଓ ନେତା ପ୍ରାଣ ହରାଇ ସାରିଥିବାବେଳେ ଶତାଧିକ ମାଓବାଦୀ ଆତ୍ମସମର୍ପଣ କରିସାରିଲେଣି।

Leave a Reply

Your email address will not be published. Required fields are marked *