ରାଜକ୍ଷମା ଲୋଡ଼ିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଦେଶବିଦେଶ
Spread the love

ଜେରୁଜେଲମ, ୧/୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ଦୀର୍ଘ ଦିନରୁ ଦୁର୍ନୀତି ମାମଲା ବିଚାରାଧୀନ ରହିଛି। ଏହି ପ୍ରସଙ୍ଗରେ ରାଜକ୍ଷମା ପ୍ରଦାନ କରିବାକୁ ନେତାନ୍ୟାହୁ ଇତିମଧ୍ୟରେ ରାଷ୍ଟ୍ରପତି ଆଇଜାକ୍‌ ହେର୍ଜୋଗଙ୍କୁ ଚିଠି ଜରିଆରେ ଅନୁରୋଧ କରିଥିବା ଜଣାପଡିଛି। ନେତାନ୍ୟାହୁ ଉକ୍ତ ଚିଠରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ବିବାଦୀୟ। ପ୍ରଧାନମନ୍ତ୍ରୀ ଭଳି ଏକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରୁଥିବାରୁ ମାମଲାର ଶୁଣାଣି ଓ ରାୟ ଦେଶ ପାଇଁ ସମସ୍ୟା ସୃଷ୍ଟି କରିପାରେ। ପୁନଶ୍ଚ ଏହି ମାମଲାକୁ ନେଇ ଇସ୍ରାଏଲ ବର୍ତ୍ତମାନ ଦୁଇ ଗୋଷ୍ଠୀରେ ପରିଣତ ହୋଇଛି।

ନେତାନ୍ୟାହୁଙ୍କ ସମର୍ଥକମାନେ ଦୁର୍ନୀତି ଅଭିଯୋଗକୁ ଉଦ୍ଦେଶ୍ୟ ପ୍ରଣୋଦିତ କହୁଥିବାବେଳେ ସମାଲୋଚକମାନେ ତାଙ୍କୁ ଦଣ୍ଡିତ କରାଯାଉ ବୋଲି ଜିଦ କରୁଛନ୍ତି। ପ୍ରାୟ ଦୁଇବର୍ଷ ଧରି ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ସୁଦ୍ଧା ଏହା ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦେଶକୁ ଜଣେ ଦକ୍ଷ ପ୍ରଧାନମନ୍ତ୍ରୀଙ୍କ ଆବଶ୍ୟକତା ରହିଛି। ତେଣୁ ରାଜକ୍ଷମା ପ୍ରଦାନ କରାଗଲେ ଏହି ବିବାଦର ପରିସମାପ୍ତି ଘଟିବ ଏବଂ ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ସୁଦୃଢ ହୋଇପାରିବ ବୋଲି ନେତାନ୍ୟାହୁ ଯୁକ୍ତି ଦର୍ଶାଇଛନ୍ତି। ଅପରପକ୍ଷରେ ଆଇନଗତ ପ୍ରସଙ୍ଗକୁ ତର୍ଜମା କରାଯିବାପରେ ରାଜକ୍ଷମା ଆବେଦନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *