ଆଜି ଭିନ୍ନକ୍ଷମ ଦିବସ : ସରକାର କରୁଛନ୍ତି ଭିନ୍ନକ୍ଷମ ଶିଶୁଙ୍କ ‘ଡାଟା ବେସ୍’ ପ୍ରସ୍ତୁତି

ଭୁବନେଶ୍ୱର ରାଜ୍ୟ
Spread the love

ଭୂବନେଶ୍ଵର, ୩/୧୨: ଜନ୍ମରୁ ୬ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କ ବାବଦ ପୂର୍ଣ୍ଣାଙ୍ଗ ସର୍ବେକ୍ଷଣ (ସର୍ଭେ) କରୁଛନ୍ତି ସରକାର। ମହିଳା-ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା-ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏନେଇ ମିଳିତ ପ୍ରକ୍ରିୟା ଚାଲିଛି। ଏହି ସର୍ଭେ ଜରିଆରେ ପ୍ରସ୍ତୁତ ‘ଡାଟା ବେସ୍‌’ ସରକାରଙ୍କ ପାଇଁ ବେଶ ଉପଯୋଗୀ ହେବ। ଭିନ୍ନକ୍ଷମଙ୍କ ଲାଗି ନୀତି ପ୍ରଣୟନ ଓ କଲ୍ୟାଣ କ୍ଷେତ୍ରରେ ଏହି ‘ଡାଟା ବେସ୍’କୁ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ୩୦ ଜିଲାରେ ଘର ଘର ବୁଲି ଅଙ୍ଗନବାଡ଼ି କର୍ମୀମାନେ ଏହି ସର୍ଭେ କରିବାକୁ କୁହାଯାଇଛି। ଏଥିପାଇଁ ସେମାନଙ୍କୁ ନିର୍ଦ୍ଦିଷ୍ଟ ପାରିତୋଷିକର ବି ବ୍ୟବସ୍ଥା ହୋଇଛି। ଗତ ନଭେମ୍ବର ୧୫ ତାରିଖରେ ଏଥିପାଇଁ ପ୍ରତି ଜିଲାକୁ ପ୍ରଥମ ପର୍ଯ୍ୟାୟ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ସରକାର। ଡିସେମ୍ବର ୧୫ ତାରିଖ ସୁଦ୍ଧା ସର୍ଭେ ସରିବ ବୋଲି ନିର୍ଦ୍ଧାରିତ ହୋଇଛି।

ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୧ ତାରିଖରେ ରାଜ୍ୟସ୍ତରରେ ମହିଳା-ଶିଶୁ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗ ମିଳିତ ବୈଠକରେ ଏଭଳି ଏକ ସର୍ଭେ ପାଇଁ ନିଷ୍ପତ୍ତି ହୋଇଥିଲା। ନଭେମ୍ବର ୧୨ ତାରିଖରେ ସରକାର ସର୍ଭେ ପାଇଁ ମାର୍ଗଦର୍ଶିକା (ଏସଓପି) ଜାରି କରିଥିଲେ। ଶିଶୁର ନାମ, ଠିକଣା ସହ ସେ କି ପ୍ରକାର ଭିନ୍ନକ୍ଷମ, ଶିଶୁଟି ଇତିମଧ୍ୟରେ କୌଣସି ଅସ୍ତ୍ରୋପଚାର କିମ୍ବା ଥେରାପିର ସହାୟତା ନେଉଛି କି ନାହିଁ, ପରିବାରର ଆର୍ଥିକ ଅବସ୍ଥା ସହିତ ଶିଶୁର ପାଠପଢ଼ା ବିଷୟରେ ତଥ୍ୟ ସର୍ଭେ ଲାଗି ଉଦ୍ଦିଷ୍ଟ ଫର୍ମରେ ଉଲ୍ଲେଖ ରହୁଛି। ଅଙ୍ଗନବାଡ଼ି କର୍ମୀମାନେ ଉକ୍ତ ଫର୍ମ ପୂରଣ କରି ସିଡିପିଓ/ସୁପରଭାଇଜରଙ୍କୁ ପ୍ରଦାନ କରିବା ପରେ ସେମାନେ ଆବଶ୍ୟକ ଯାଞ୍ଚ କରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ପାଖେ ଦାଖଲ କରିବେ। ବ୍ଲକ ଅଧିକାରୀ ଉକ୍ତ ଫର୍ମକୁ ‘ଅନଲାଇନ ଏଣ୍ଟ୍ରି’ କରିବା ପରେ ଜିଲା ଅଧିକାରୀ ଏହାକୁ ଯାଞ୍ଚ କରିବେ।

ଶେଷରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଉକ୍ତ ‘ଡାଟା ବେସ’କୁ ଆଧାର କରି କେଉଁ ଭିନ୍ନକ୍ଷମ ଶିଶୁର ତୁରନ୍ତ ଚିକିତ୍ସା ଆବଶ୍ୟକ, କାହା ପାଇଁ ଉପକରଣ ଦରକାର, କାହା ପାଇଁ ଭତ୍ତା ଜରୁରୀ, ସେସବୁ ଅନୁମୋଦନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫର୍ମ ପୂରଣ ପୂର୍ବରୁ ଅଭିଭାବକଙ୍କ ସମ୍ମତି ନିଆଯିବ। ସର୍ଭେ କାଳରେ ଗୋପନୀୟତା ଓ ପରିବାରର ମର୍ଯ୍ୟାଦା ରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ଇତିମଧ୍ୟରେ ଭଦ୍ରକ, ଢେଙ୍କାନାଳ ସମେତ ଅନ୍ୟ କେତେକ ଜିଲାରେ ସର୍ଭେ ସରିଛି। ଭଦ୍ରକରେ ୨୩୬ ଜଣ ଭିନ୍ନକ୍ଷମ ଶିଶୁ ଚିହ୍ନଟ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *