ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌: ୨ ଜଣଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

ଅପରାଧ ଦେଶବିଦେଶ ରାଜ୍ୟ
Spread the love

କୋରେଇ, ୧୪/୧୨: ଦିଲ୍ଲୀ କାର୍‌ ବୋମା ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌ ସାମନାକୁ ଆସିବା ପରେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ତନାଘନା ହୋଇଛି। ଆତଙ୍କବାଦୀମାନେ ବ୍ୟବହାର କରିଥିବା ମୋବାଇଲ୍‌ ସିମ୍‌ ଯାଜପୁର ଓ ଭଦ୍ରକରୁ କିଣାଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ଏ ସଂପର୍କରେ ଖୋଳତାଡ଼ ଜାରି ରଖିଥିଲା। ଗତକାଲି ଦିଲ୍ଲୀ ସାହିନ୍‌ବାଗ ଥାନା ପୁଲିସ ଯାଜପୁର ଓ ପଡ଼ୋଶୀ ଜିଲ୍ଲାଭଦ୍ରକ ମଞ୍ଜୁରୀରୋଡ୍‌ ବଜାରରେ ଚଢ଼ଉ କରି ୨ ଜଣ ମୋବାଇଲ୍ ଦୋକାନୀଙ୍କୁ ଉଠାଇ ନେଇଛି।

ମଞ୍ଜୁରୀରୋଡ୍‌ ବଜାରରେ ମୋବାଇଲ୍‌ ଦୋକାନ କରିଥିବା ସନ୍ତୋଷ ଖଣ୍ଡେଇ ଓ ତାଙ୍କ ସହଯୋଗୀ ତରାଗୋ ଅଞ୍ଚଳର ମହେଶ୍ବର ପୁଣ୍ଟିଆଙ୍କୁ ଦିଲ୍ଲୀ ପୁଲିସ ବନ୍ତ ଥାନାକୁ ଆଣି ପଚରାଉଚରା କରିଥିଲା। ଉଭୟଙ୍କୁ ଭଦ୍ରକ କୋର୍ଟରେ ହାଜର କରି ଦିଲ୍ଲୀ ପୁଲିସ ରିମାଣ୍ଡରେ ନେଇଯାଇଛି। ଉଭୟ ମିଳିତ ଭାବେ ସେମାନଙ୍କ ଦୋକାନକୁ ନୂଆ ସିମ୍‌କାର୍ଡ କିଣିବାକୁ ଆସୁଥିବା ଗ୍ରାହକଙ୍କ ଆଧାରକାର୍ଡକୁ ଉପଯୋଗ କରି ଏକକାଳୀନ ବହୁ ସିମ୍‌ ଆକ୍ଟିଭ୍‌ କରୁଥିଲେ ଏବଂ ସେଥିରୁ ଗୋଟିଏ ସିମ୍ କାର୍ଡ ମୂଳ ଗ୍ରାହକଙ୍କୁ ଦେଉଥିଲେ। ଗ୍ରାହକଙ୍କ ଅଜାଣତରେ ଏଭଳି ବେଆଇନ କାର୍ଯ୍ୟ କରାଯାଉଥିଲା। ଯାଜପୁର କୋରେଇ ଥାନା ଅଞ୍ଚଳର ବହୁ ବେକାର ଯୁବକଙ୍କୁ ଏ ଦୁହେଁ ସେମାନଙ୍କ ଦୋକାନରୁ ସିମ୍‌ କିଣିବାକୁ ପ୍ରଲୋଭିତ କରୁଥିଲେ। ପ୍ରତି ସିମ୍‌ ପାଇଁ ୨ରୁ ୩ ହଜାର ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ।

ଆକ୍ଟିଭ୍‌ ହୋଇଥିବା ଅନ୍ୟ ସିମ୍‌ଗୁଡ଼ିକୁ ଉଚ୍ଚ ଦାମ୍‌ରେ ବେନାମୀ ଲୋକଙ୍କୁ ବିକ୍ରୟ କରାଯାଉଥିଲା ଏବଂ ଏହି ସିମ୍‌କାର୍ଡଗୁଡ଼ିକୁ ଆପରାଧିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ଦିଲ୍ଲୀ ସାହିନ୍‌ବାଗ ଥାନାରେ ଏ ନେଇ ୪୦୩/୨୫ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ସନ୍ତୋଷଠାରୁ ବିକ୍ରି ହୋଇଥିବା ବେଆଇନ ସିମ୍‌କାର୍ଡ ଜବତ ହୋଇଛି। ଉଭୟଙ୍କ ଆକାଉଣ୍ଟରେ ବିପୁଳ ଟଙ୍କାର କାରବାର ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *