ବରଗଡ଼ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ବରଗଡ଼ ରାଜ୍ୟ
Spread the love

ବରଗଡ଼, ୪/୧ : ସତ୍ୟର ବିଜୟ ଅସତ୍ୟର ପରାଜୟ ସହିତ ଐଶୀ ଶକ୍ତି ଯେ ସବୁବେଳେ ଆସୁରିକ ଶକ୍ତି ଉପରେ ବିଜୟ ଲାଭ କରେ ଏହା ପୁଣି ଥରେ ପ୍ରମାଣିତ ହୋଇଛି ବରଗଡ଼ ଧନୁଯାତ୍ରାରେ। ଦେବକୀଙ୍କ ଅଷ୍ଟମ ସନ୍ତାନ କୃଷ୍ଣଙ୍କ ହାତରେ ପ୍ରତାପୀ ମହାରାଜ କଂସଙ୍କ ନିଧନ ହୋଇଛି। ଏହା ସହିତ ମଥୁରା ନଗରୀରେ ଚାଲିଥିବା କଂସ ରାଜର ପରିସମାପ୍ତି ଘଟିଛି। ଆଜି ଭଗବାନ କୃଷ୍ଣ କଂସର ନିଧନ ପରେ ବନ୍ଦୀଶାଳାରୁ ଉଗ୍ରସେନ, ଦେବକୀ ବସୁଦେବଙ୍କୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିଥିଲେ। ସାରା ଜଗତ କୃଷ୍ଣଙ୍କ ଜୟ ଜୟ କାର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। କୃଷ୍ଣ ପ୍ରେମରେ ସମସ୍ତେ ମଜ୍ଜି ଯାଇ କେବଳ କୃଷ୍ଣ କୃଷ୍ଣ ହୋଇଥିଲେ। କଂସତ୍ୱ ନାଶ ହେଉ, କୃଷ୍ଣତ୍ୱ ପ୍ରଚାରିତ ହେଉ ଏବଂ ସବୁଦିନ ପାଇଁ ଆସୁରିକ ଶକ୍ତିର ବିଲୋପ ହୋଇ ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, ଶାସକ କୁଳ ପ୍ରଜାଙ୍କ ହିତରେ ଶାସନ କରନ୍ତୁ, ସବୁଠି ଶାନ୍ତି ବିରାଜ ମାନ କରୁ, ସବୁଠି ସଂହତି ସ୍ଥାପନ ହେଉ, ମୈତ୍ରୀର ବାତାବରଣ ପ୍ରତିଷ୍ଠା ହେଉ ଏହି ସନ୍ଦେଶ ଦେଇ ୭୮ ତମ ଧନୁଯାତ୍ରାର ଯବନିକା ପଡ଼ିଛି। ଆଜି କଂସ ସହିତ ମଂଚରେ କୃଷ୍ଣଙ୍କ ଭେଟ ହେବା ପୂର୍ବରୁ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିଥିଲେ ଏହି ଛଳରେ କୁବଳୟା ବଧ କରିଥିଲେ। ଶିବଧନୁ ଭଗ୍ନ କରିଥିଲେ ଓ ଅଷ୍ଟମଲ୍ଲଙ୍କୁ ଦ୍ୱନ୍ଦ୍ବ ଯୁଦ୍ଧରେ ନିହତ କରିଥିଲେ।

Leave a Reply

Your email address will not be published. Required fields are marked *