ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ

ଅପରାଧ ବଲାଙ୍ଗୀର ରାଜ୍ୟ
Spread the love

ଟିଟିଲାଗଡ଼,୭/୧: ବଲାଙ୍ଗୀର ଜିଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଲ୍‌ମି ସେକ୍ସନ ଫରେଷ୍ଟର ଅଶୋକ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜଣେ ଚାଷୀଙ୍କଠାରୁ ନାୟକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମଙ୍ଗଳବାର ଗିରଫ କରିଛି। ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦିଗକୁ ନେଇ ଭିଜିଲାନ୍ସ ପକ୍ଷରୁ ନାୟକଙ୍କ ଦୁଇ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ବଲାଙ୍ଗୀର ଟାଉନସ୍ଥିତ ବାସଭବନ ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ଅଧିକାରୀମାନେ ଅଧିକ ଯାଞ୍ଚ କରିଥିଲେ। ଏହି ସମୟରେ ନାୟକଙ୍କ ଅଫିସ ରୁମ୍‌ରୁ ନଗଦ ୧ ଲକ୍ଷ ୮୦ ହଜାର ୩୫୦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ଲାଞ୍ଚ ଆକାରରେ ସେ ଗ୍ରହଣ କରିଥିବା ଭିଜିଲାନ୍ସ ଅଧିକାରୀମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି।ଅନୁଯାୟୀ, କୁଟୁରାକେନ୍‌ ଗଁାର ଅଭିଯୋଗକାରୀ ଚାଷୀ ଜଣକ ନିଜ ଜମିରେ ଥିବା ଏକ ଶାଗୁଆନ ଓ ଶାଳ ଗଛକୁ କାଟିଦେଇଥିଲେ। ପରେ ଚାଷୀଜଣକ କାଠ ପରିବହନ ପାଇଁ ଫରେଷ୍ଟର ନାୟକଙ୍କ ଠାରୁ ଅନୁମତି ଲୋଡ଼ିଥିଲେ। ଅନୁମତି ବିନା ଗଛ କାଟିବା ପାଇଁ ସରକାରୀ ନିୟମ ଅନୁଯାୟୀ ୨ହଜାର ଟଙ୍କା ଜରିମାନା ଦେବାକୁ ନାୟକ କହିଥିଲେ। ଚାଷୀଜଣକ ନିଜ ଜମିରୁ ଗଛ କାଟିବା ପାଇଁ ପୂର୍ବରୁ ଅନୁମତି ନେବାର ନିୟମ ବିଷୟରେ ଅଜ୍ଞ ଥିବାରୁ ଜରିମାନା ଦେବାକୁ ରାଜି ହୋଇଥିଲେ। ହେଲେ ନାୟକ କାଠ ପରିବହନ ଅନୁମତି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଥିଲେ। ଚାଷୀଜଣକ ଉପାୟଶୂନ୍ୟ ହୋଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନା ପକ୍ଷରୁ ଏକ ମାମଲା (ନଂ.୧/୨୦୨୬) ରୁଜୁ କରାଯିବା ସହ ନାୟକଙ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଅଭିଯୋଗକାରୀ ଚାଷୀଙ୍କଠାରୁ ୧୦ହଜାର ଟଙ୍କା ଲାଞ୍ଚ ଓ ୨୦୦୦ ଟଙ୍କା ଜରିମାନା ସମେତ ମୋଟ ୧୨ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ୍‌ ନାୟକଙ୍କୁ କାବୁ କରିଥିଲା। ସୂଚନାଯୋଗ୍ୟ, ନାୟକ ୨୦୦୦ ଅଗଷ୍ଟ ୨୦ରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରିରେ ଯୋଗଦେଇଥିଲେ। ୨୦୧୯ ଅଗଷ୍ଟରେ ସେ ଫରେଷ୍ଟର ଭାବେ ପଦୋନ୍ନତି ପାଇଥିଲେ। ତେବେ ବଡ଼ କଥା ହେଉଛି, ନାୟକ ଚାକିରି କରିବା ଦିନଠୁ ଅର୍ଥାତ ଅଢ଼େଇ ଦଶନ୍ଧି ଧରି ବଲାଙ୍ଗୀର ଜିଲାର ବିଭିନ୍ନ ସେକ୍ସନରେ କାମ କରିଆସୁଛନ୍ତି। ବଡ଼ ବଡ଼ ଅଧିକାରୀ ଓ ନେତା, ମନ୍ତ୍ରୀଙ୍କୁ ହାତ କରି ସେ ବଲାଙ୍ଗୀର ଜିଲାରେ ରହିଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *