Krushna Chandra Mohapatra

ସିଡିଏ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି ଜାଲିଆତି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆ‌ଯାଇଛି: ମନ୍ତ୍ରୀ

ରାଜ୍ୟ
Spread the love

କଟକ: ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି କେଳେଙ୍କାରୀରେ ଜାଲିଆତି ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ଘଟଣାର ତଦନ୍ତ ଲାଗି ବିଭାଗକୁ ନିର୍ଦ୍ଦେଶ ଦିଆ‌ଯାଇଛି। ତଦନ୍ତ ରିପୋର୍ଟ ଆସିଲା ପରେ ଏନେଇ ପଦକ୍ଷେପ ନିଆଯିବ। ଏଣେ ସିଡିଏ ଭିସି କହିଛନ୍ତି, ନିୟମ ଅନୁସାରେ ଟେଣ୍ଡର ହୋଇଛି।
ସିଡିଏ‌ ସେକ୍ଟର-୬ରେ ୧୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମିକୁ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଡର କରାଇ ନେବା ଯୋଜନାରେ ସର୍ବନିମ୍ନ ସତର୍କତାକୁ ଅଣଦେଖା କରାଯାଇଛି। ସେକ୍ଟର-୬ରେ ଥିବା ଅଢ଼େଇ ଏକର ଜମିର ବିକାଶ କରିବା ସହିତ ସିଡିଏ ପାଇଁ ଏକ ଅତ୍ୟାଧୁନିକ କୋଠା ନିର୍ମାଣ କରିବାକୁ ଏହି ଟେଣ୍ଡର ଆହ୍ବାନ କରାଯାଇଥିଲା। ସଂପୃକ୍ତ ସଂସ୍ଥା ଏହି ଅଢ଼େଇ ଏକର ଜମି ନେବ। ସେଥିରୁ କିଛି ଅଂଶରେ ସିଡିଏ ପାଇଁ କୋଠା ନିର୍ମାଣ କରିବ। ବାକି ଜମିକୁ ସେ ନିଜ ନିୟନ୍ତ୍ରଣରେ ରଖି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିପାରିବ। କିନ୍ତୁ ଏହି ମୂଲ୍ୟବାନ ଜମିକୁ ୨/୩ କୋଟିରେ ତ ଟେକି ଦିଆଗଲା, ଏଥିପାଇଁ ଟେଣ୍ଡର ନିୟମକୁ ବି ଅଣଦେଖା କରି ଦିଆଗଲା?
ଏବେ ପ୍ରଶ୍ନ ଉଠୁଛି ଯେ ଅଢ଼େଇ ଏକର ଜମିର ବିକାଶ କରି ସେଥିରେ ୬୦ କୋଟିର ଏକ କୋଠା ନିର୍ମାଣ କରିବା ପାଇଁ ଯେଉଁ ଟେଣ୍ଡର ଆହ୍ବାନ କରାଯାଇଛି ସେଥିରେ ସଂସ୍ଥାର ବୈଷୟିକ ଯୋଗ୍ୟତା, ଦକ୍ଷତା ଅଥବା ଅନୁଭବ ସଂପର୍କିତ ସର୍ତ୍ତ କାହିଁକି ରଖାଯାଇ ନାହିଁ? ଯେଉଁ ସଂସ୍ଥାକୁ ଯୋଗ୍ୟ ବିବେଚିତ କରିବା ପାଇଁ ‌ଏତେ ସବୁ ମସୁଧା ହୋଇଛି, ତାହାର ନିର୍ମାଣ କ୍ଷେତ୍ରରେ କୌଣସି ବିଶେଷ ଦକ୍ଷତା, ଅଭିଜ୍ଞତା ଅଥବା ଅନୁଭବ ରହିଛି କି? ଏ ସଂପର୍କିତ ଯାଞ୍ଚ କେଉଁ ସଂସ୍ଥା ଦ୍ବାରା କରାଯାଇଛି? କେଉଁ ଭରସାରେ ଏହି ମୂଲ୍ୟବାନ ଜମିକୁ ସିଡିଏ କର୍ତ୍ତୃପକ୍ଷ ଏହି ସଂସ୍ଥା ହାତକୁ ଟେକି ଦେବାକୁ ସୁରକ୍ଷିତ ମନେ କରିଛନ୍ତି? କାହିଁକି ଅଭିଜ୍ଞ ନିର୍ମାଣକାରୀ ସଂସ୍ଥାଙ୍କ ପ୍ରସ୍ତାବ ଓ ଅଭିଯୋଗକୁ ସିଡିଏ କର୍ତ୍ତୃପକ୍ଷ ଅଣଦେଖା କରି ଟେଣ୍ଡର ଫଇସଲା କରିଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହଜନକ କରିଛି।
ଏ ସଂପର୍କରେ ଆଜି ପୁଣି ସିଡିଏ ସଚିବ ଡକ୍ଟର ଶ୍ବେତ କୁମାର ଦାଶଙ୍କ ପ୍ରତିକ୍ରିୟା ନେବାର ପ୍ରୟାସ ହେବାରୁ ସେ ଏ ସଂପର୍କରେ ଆସନ୍ତା ସୋମବାର ବେଳକୁ କହିବେ ବୋଲି ଜଣାଇଥିଲେ। ଏହି ଘଟଣା ଅଧିକ ସନ୍ଦେହ ବଢ଼ାଇଛି।
ଅନ୍ୟପଟେ ଏ ସଂପର୍କରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ମତାମତ ଲୋଡ଼ାଯିବାରୁ ‌ସେ ଏ ସଂପର୍କରେ ଯାଞ୍ଚ କରି ଦେଖିବେ ବୋଲି କହିଥିଲେ। ନଗର ଉନ୍ନୟନ କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାର ଯାଞ୍ଚ କରାଯିବା ସହିତ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ସହରରେ ଜମି ଖଣ୍ଡେ ପାଇବା ସ୍ବପ୍ନ ହୋଇ ଯାଉଥିବା ବେଳେ ଅଢ଼େଇ ଏକର ମୂଲ୍ୟବାନ ଜମିକୁ ଏଭଳି ଗୋଟିଏ ସଂସ୍ଥାକୁ ଟେକି ଦିଆଯିବାର ପ୍ରୟାସ ସାଧାରଣରେ ପ୍ରତିକ୍ରିୟା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *