ନୂଆଦିଲ୍ଲୀ/ଭୁବନେଶ୍ୱର: ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ସୁଖବର ଆସିଛି। ଏବେ ଭାରତର କୌଣସି ବି ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ଜବରଦସ୍ତି ‘ସର୍ଭିସ୍ ଚାର୍ଜ’ ମାଗି ପାରିବେ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ସ୍ପଷ୍ଟ କରିଛନ୍ତି।
ଏହି ନିୟମକୁ ଉଲ୍ଲଂଘନ କରି ଗ୍ରାହକଙ୍କଠାରୁ ଜବରଦସ୍ତି ସର୍ଭିସ୍ ଚାର୍ଜ ନେଉଥିବା ୨୭ଟି ରେଷ୍ଟୁରାଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। CCPA ଏହି ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ୫୦,୦୦୦ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି। ଏଥିମଧ୍ୟରେ ପ୍ରସିଦ୍ଧ ଚେନ୍ ରେଷ୍ଟୁରାଣ୍ଟ ‘ବାରବିକ୍ୟୁ ନେସନ୍’ (Barbeque Nation) ମଧ୍ୟ ରହିଛି।
ଗ୍ରାହକ ସୁରକ୍ଷା ପ୍ରାଧିକରଣ ସ୍ପଷ୍ଟ କରିଛନ୍ତି ଯେ, ସେବା ଶୁଳ୍କ ଦେବା କି ନଦେବା ତାହା ସମ୍ପୂର୍ଣ୍ଣ ଭାବେ ଗ୍ରାହକଙ୍କ ଇଚ୍ଛା ଉପରେ ନିର୍ଭର କରେ। ହୋଟେଲ ମାଲିକ ବିଲ୍ରେ ଏହାକୁ ଆଗୁଆ ଯୋଡ଼ି ପାରିବେ ନାହିଁ। ଯଦି କୌଣସି ଗ୍ରାହକ ସର୍ଭିସ୍ ଚାର୍ଜ ଦେବାକୁ ମନା କରନ୍ତି, ତେବେ କେହି ତାଙ୍କୁ ହୋଟେଲରୁ ବାହାର କରିବା କିମ୍ବା ମନା କରିବାର ଅଧିକାର ନାହିଁ।
ଏହି ନିୟମକୁ ଆହୁରି କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ୨୦୨୫ ମସିହାରେ ଦିଲ୍ଲୀ ହାଇକୋର୍ଟ ସମସ୍ତ ସଂପୃକ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଗ୍ରାହକଙ୍କ ଅଧିକାର ସୁରକ୍ଷିତ ରଖିବା ଏବଂ ସେମାନଙ୍କୁ ଅନାବଶ୍ୟକ ଆର୍ଥିକ ବୋଝରୁ ମୁକ୍ତ କରିବା ଆବଶ୍ୟକ।
ଗ୍ରାହକ ସଚେତନତା ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ, ରେଷ୍ଟୁରାଣ୍ଟରେ ଖାଇବା ପରେ ବିଲ୍ ଭଲ ଭାବେ ଯାଞ୍ଚ କରିବା ଉଚିତ। ଯଦି ବିଲ୍ରେ ‘Service Charge’ ଲେଖା ଥାଏ, ତେବେ ଗ୍ରାହକ ତାହାକୁ କାଟିବା ପାଇଁ ରେଷ୍ଟୁରାଣ୍ଟ କର୍ତ୍ତୃପକ୍ଷଙ୍କୁ କହିପାରିବେ ଏବଂ ଏଥିପାଇଁ କେହି ମନା କରିପାରିବେ ନାହିଁ। ଏହି ନିୟମ ଉଲ୍ଲଂଘନ ହେଲେ ଗ୍ରାହକମାନେ ଜାତୀୟ ଗ୍ରାହକ ହେଲ୍ପଲାଇନ୍ରେ ଅଭିଯୋଗ ମଧ୍ୟ କରିପାରିବେ।
