ବ୍ୟାଙ୍କରେ ଚାକିରି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧନା
ପାରାଦୀପ : ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ଢିଙ୍କିଆ ରେ ଖୋଲାଯାଇଥିବା ଅନୁଷ୍ଠାନ ସମର୍ଥ ସ୍ଥାନୀୟ ଯୁବକ ଯୁବତୀଙ୍କ ଚାକିରି କ୍ଷେତ୍ରରେ ନୂତନ ସମ୍ଭାବନା ଆଣି ଦେଇଛି। ବିଶେଷ କରି ଗ୍ରାମୀଣ ଯୁବକ ଯୁବତୀଙ୍କ ପାଇଁ ଵ୍ୟାଙ୍କିଂ ଏବଂ ସରକାରୀ ଚାକିରିରେ ପ୍ରବେଶ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ସମର୍ଥ ଯୁବ ବିକାଶ ଗ୍ରାମୀଣ ଛାତ୍ରମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିବାରେ ସାହାଯ୍ୟ କରିଆସୁଛି। ଜଗତ୍ସିଂହପୁରର ଜିଲ୍ଲା ଏରାସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମର ସମର୍ଥ ଯୁବ ବିକାଶ କେନ୍ଦ୍ରର ଜଣେ ମେଧାବୀ ଛାତ୍ର ବଳରାମ ନାୟକ କଷ୍ଟମର ସର୍ଭିସ ଆସୋସିଏଟ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ କାନାରା ବ୍ୟାଙ୍କରେ ଗ୍ରାହକ ସେବା ସହଯୋଗୀ ଭାବରେ ମନୋନୀତ ହୋଇଛନ୍ତି।ଏହା ବ୍ୟତୀତ ସେ ଏସବିଆଇ ଜୁନିଅର ଆସୋସିଏଟ୍ ଏବଂ ଆରଆରବି ପରୀକ୍ଷାରେ ମଧ୍ୟ ମନୋନୀତ ହେବାକୁ ଆଶା ରଖିଥିବା ଶ୍ରୀ ନାୟକ କହିଛନ୍ତି।

ସେ ୨୦୨୪ ମସିହାରେ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ଗୁରୁକୂଳ ଅଧ୍ୟାପକ ଏବଂ ପରିଚାଳନା ପକ୍ଷରୁ ଦୃଢ଼ ଶୈକ୍ଷିକ ସହାୟତା ସହିତ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପକ୍ଷରୁ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ପ୍ରୋଜେକ୍ଟ ସମର୍ଥ ଅଧୀନରେ ପ୍ରଦାନ କରାଯାଇଥିବା ମାଗଣା ପ୍ରଶିକ୍ଷଣ,ମକ୍ ଟେଷ୍ଟ ଏବଂ ମାର୍ଗଦର୍ଶନ ସାହାଯ୍ୟରେ ସଫଳ ହୋଇଥିବା କହିଛନ୍ତି।ଏ ନେଇ ଶ୍ରୀ ନାୟକ ଙ୍କୁ ଜେଏସଡବ୍ଲ୍ୟୁ ଫାଉଣ୍ଡେସନର ମୁଖ୍ୟ ଅଭିଜିତ ମହାନ୍ତି,ନରେନ୍ଦ୍ର ବାରିକ,ସିଦ୍ଧାର୍ଥ ଦେ,ଗୁରୁକୂଳ ଅଧ୍ୟାପକ ଏବଂ ଛାତ୍ରମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ସେ କହିଛନ୍ତି ଯେ ସିଏସଆର ତାଲିମ ସହାୟତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ଏବଂ ନୂତନ ଛାତ୍ରମାନଙ୍କୁ ନିୟମିତ ଭାବରେ ଅଧ୍ୟୟନ କରିବାକୁ ଏବଂ ଶୃଙ୍ଖଳିତ ରହିବାକୁ ପରାମର୍ଶ ଦେଇଛନ୍ତି।
କାର୍ଯ୍ୟକ୍ରମର ଅନ୍ୟ ଛାତ୍ରମାନେ ପ୍ରସନ୍ନ କୁମାର ସେଠି,ଗଣେଶ ଚନ୍ଦ୍ର ସେଠି,ସ୍ୱପ୍ନା ରାଉତ ଏବଂ ସଂଘମିତ୍ରା ବେହେରା ମଧ୍ୟ ଓଡ଼ିଶା ହୋମଗାର୍ଡର ମୁଖ୍ୟ ଏବଂ ଶାରୀରିକ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି। ପୂର୍ବରୁ ୧୫ ଜଣ ଯୁବକ ଯୁବତୀ ବିଭିନ୍ନ ସରକାରୀ ସଂସ୍ଥା ରେ ଚାକିରି ପାଇଥିବା ସୂଚନା ମିଳିଛି।
