ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କୁ ହତ୍ୟା କରିବା ପାଇଁ ଦାୟୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଛାଡ଼ିବନି ଇରାନ। ତାଙ୍କୁ ଯେକୌଣସି ଉପାୟରେ ହତ୍ୟା କରିବା ପାଇଁ ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ଶପଥ ନେଇଛି। ଆଇଆର୍ଜିସି କହିଛି ଯେ ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ମଧ୍ୟରେ ନେତାନ୍ୟାହୁ ସର୍ବଦା ଏକ ଟାର୍ଗେଟ୍ ହୋଇ ରହିବେ।
ଏକ ବିବୃତିରେ ଆଇଆର୍ଜିସି ନେତାନ୍ୟାହୁଙ୍କୁ ଜଣେ ‘ଅପରାଧୀ ଇହୁଦୀ ପ୍ରଧାନମନ୍ତ୍ରୀ’ ଭାବରେ ବର୍ଣ୍ଣନା କରିଛି ଏବଂ କହିଛି ଯେ ଯଦି ସେ ଜୀବିତ ଅଛନ୍ତି ତେବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯିବ। ନେତାନ୍ୟାହୁଙ୍କ ମୃତ୍ୟୁ ଖବର ମିଛ ବୋଲି ତାଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିବା ପରେ ଆଇଆର୍ଜିସି କହିଛି, ଯଦି ଶିଶୁ ହତ୍ୟାକାରୀ ନେତାନ୍ୟାହୁ ଜୀବିତ ଅଛନ୍ତି, ତେବେ ଆମେ ତାଙ୍କୁ ପିଛା କରିବା ଜାରି ରଖିବୁ ଏବଂ ସୁଯୋଗ ଉଣ୍ଡି ହତ୍ୟା କରିବୁ।
ଆଇଆର୍ଜିସିର ଅପରେସନ୍ ଟ୍ରୁ ପ୍ରମିଜ୍ ୪ର ୫୨ତମ ତରଙ୍ଗ ଘୋଷଣାର ଏକ ଅଂଶ ଭାବରେ ଏହି ମନ୍ତବ୍ୟ ଆସିଛି, ଯାହା ଏହି ଅଞ୍ଚଳରେ ଇସ୍ରାଏଲ୍ ଓ ଆମେରିକାର ସାମରିକ ଘାଟିକୁ ଟାର୍ଗେଟ୍ କରିଛି ବୋଲି କହିଛି। ବିବୃତି ଅନୁଯାୟୀ, ଇରାନ ସୈନ୍ୟମାନେ ତେଲ୍ ଅଭିଭ୍ର ଶିଳ୍ପାଞ୍ଚଳ ଉପରେ ଭାରୀ କ୍ଷେପଣାସ୍ତ୍ର ମାଡ଼ କରିଥିଲେ ଏବଂ ଏହି ଆକ୍ରମଣରେ କିଛି ଲୋକ ଆହତ ହୋଇଥିବା ଦାବି କରାଯାଇଥିଲା। ଏହାପରେ ସମଗ୍ର ସହରରେ ଆମ୍ବୁଲାନ୍ସର ସାଇରନ୍ ବାଜିବା ଶୁଣାଯାଇଥିଲା।
ଆଇଆର୍ଜିସି ଏହା ମଧ୍ୟ କହିଛି ଯେ ଏହା କ୍ଷେପଣାସ୍ତ୍ର ଓ ଡ୍ରୋନ୍ ବ୍ୟବହାର କରି ଏର୍ବିଲରେ ଥିବା ଅଲ-ହାରିର ଏୟାର୍ ବେସ୍, ଅଲି ଅଲ୍ ସାଲେମ୍ ଏୟାର୍ ବେସ୍ ଓ କୁଏତର କ୍ୟାମ୍ପ ଆରିଫଜାନ୍ ସମେତ ଆମେରିକା ସୈନ୍ୟବାହିନୀ ସହ ଜଡିତ ସ୍ଥାନଗୁଡ଼ିକୁ ଟାର୍ଗେଟ୍ କରିଛି। ଇରାନ ସେନା ଏହା ମଧ୍ୟ ଦାବି କରିଛି ଯେ ନେତାନ୍ୟାହୁଙ୍କ ଭାଗ୍ୟ ଅସ୍ପଷ୍ଟ ଅଛି। ସେ ନିହତ ହୋଇଥାଇପାରନ୍ତି କିମ୍ବା ତାଙ୍କ ପରିବାର ସହିତ ଇସ୍ରାଏଲରୁ ପଳାୟନ କରିଥାଇ ପାରନ୍ତି। ତେବେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦାବିକୁ ଖାରଜ କରିଛି, ଯେଉଁଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଇଥିଲା। ଏଗୁଡ଼ିକ ମିଥ୍ୟା ଖବର; ପ୍ରଧାନମନ୍ତ୍ରୀ ଭଲ ଅଛନ୍ତି ବୋଲି କାର୍ଯ୍ୟାଳୟ କହିଛି।
