ରାଇରଙ୍ଗପୁର/କରଞ୍ଜିଆ: କାଳବୈଶାଖୀର ତାଣ୍ଡବ ଆଜି ମୟୂରଭଞ୍ଜଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦେଖିବାକୁ ମିଳିଛି। କାଳବୈଶାଖୀର ଉଗ୍ରରୂପ ପ୍ରାୟ ୪୩ ବର୍ଷ ପୁରୁଣା ଦିନକୁ ମନେ ପକାଇ ଦେଇଛି। ଅର୍ଥାତ ୧୯୮୨ ମସିହାରେ ହୋଇଥିବା କାଳବୈଶାଖୀ ଯେଉଁଭଳି ଭାବେ ଏହି ଅଞ୍ଚଳରେ ଉଗ୍ରରୂପ ଦେଖାଯାଇଥିଲା, ଆଜି ସେହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ସେହି ସମୟରେ ନାବାଳକମାନେ ଆଜିର ଦିନରେ ବରିଷ୍ଠ ନାଗରିକ ହୋଇସାରିଥିବାରୁ, ପୁରୁଣା କଥାକୁ ଯୁବପିଢ଼ିଙ୍କୁ କହୁଛନ୍ତି।
କଙ୍କଡ଼ା ଓ କିଆ ଗାଁରେ ଭୟଙ୍କର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଥିଲା। ଆଖପାଖ ଗାଁରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା। ବାମନଘାଟି ଉପଖଣ୍ଡରେ ମଧ୍ଯ କାଳବୈଶାଖୀରେ ବହୁ ଛପର, ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଛି। ଆଜି ଅପରାହ୍ଣ ପ୍ରାୟ ୪ଟା ୪୦ ମିନିଟ୍ରେ ହଠାତ୍ ବେଗବାନ ପବନରେ ୭୦ରୁ ଅଧିକ ଖପର ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।
ଭୟଙ୍କର ପବନରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ସହ ରାସ୍ତାରେ ଯାଉଥିବା ଗୋଟିଏ ଅଟୋ ଓ ତିନି ବାଇକକୁ ମଧ୍ୟ ପବନରେ ଉଡ଼ାଇ ଫିଙ୍ଗି ଦେଇଛି। ରାସ୍ତାରେ ଯାଉଥିବା ଏକ ଅଟୋକୁ ପ୍ରାୟ ୫୦ ଫୁଟ ପବନରେ ଉଡ଼ାଇ ପୋଖରୀରେ ପକାଇବା ଯୋଗୁଁ ସେଥିରେ ଥିବା ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରେ ଥିବା ଅନ୍ୟ ଯାତ୍ରୀଙ୍କ ସମେତ ତିନି ବାଇକ୍ରେ ଥିବା ୫ ଯାତ୍ରୀଙ୍କୁ ଘୂର୍ଣ୍ଣି ଝଡ଼ ଉଡ଼ାଇ ନେଇ ପୋଖରୀରେ କଚାଡ଼ି ଦେଇଛି।
କଙ୍କଡା ଓ କିଆ ଗ୍ରାମର ଘରର ଛପର, କାନ୍ଥ, ବିଶାଳ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ, ଉପଖଣ୍ଡ ପ୍ରସାଶନ, ପୁଲିସ ପ୍ରସାଶନ, ତହସିଲ ଓ ଡାକ୍ତରୀ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଆହତଙ୍କୁ ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସନ୍ଧ୍ୟା ହୋଇଯାଇଥିବାରୁ ରିପୋର୍ଟ ଲେଖା ହେବା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆସନ୍ତାକାଲି ସବିଶେଷ ବିବରଣୀ ମିଳିବ ବୋଲି ଆଶା କରାଯାଉଛି। ସେହିପରି ବାମନଘାଟି ଉପଖଣ୍ଡର ରାଇରଙ୍ଗପୁର,ବିଜାତଳା,କୁସୁମୀ ପ୍ରଭୃତି ଅଞ୍ଚଳରେ କାଳବୈଶାଖରେ ବହୁ ଘରର ଛପର, ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।
