ସୋମବାର ରାଜ୍ୟସଭା ନିର୍ବାଚନ, ୫ ପ୍ରାର୍ଥୀରୁ ରହିବେ ୪; ଜଣା ପଡ଼ିବ କାହାର ରଣନୀତି କାମ କରିବ

ରାଜ୍ୟ
Spread the love

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତାକାଲି ଅପରାହ୍ନ ୪ଟା ଯାଏଁ ଭୋଟଗ୍ରହଣ ହେବ । ୧୪୭ ବିଧାୟକ ବିଧାନସଭାରେ ୫ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କୁ ଚୟନ କରିବେ। ତେବେ ରାଜ୍ୟ ରାଜନୀତିରେ ବେଶ୍ କିଛି ଦିନ ଧରି ଚାଲିଥିବା ଛକାପଞ୍ଝା, ଘଣ୍ଟାଚକଟାର କାଲି ଆସିବ ସ୍ପଷ୍ଟ ଚିତ୍ର । ଚତୁର୍ଥ ଆସନରେ କିଏ ଜିତିବ ତାହା ତ ସ୍ପଷ୍ଟ ହେବ ତା ସହିତ ମଧ୍ୟ ସ୍ପଷ୍ଟ ହେବ କାହାର କାହା ସହିତ ଚାଲିଛି ଭାବ ପିରତି।
ସୋମବାର ଦିନ, ପ୍ରାର୍ଥୀମାନଙ୍କ ମନ, ଛନ୍ନଛନ୍ନ। ୫ ପ୍ରାର୍ଥୀରୁ ରହିବେ ୪। କଟିବେ କିଏ। କାଲି ସ୍ପଷ୍ଟ ହୋଇଯିବ ଚିତ୍ର । ରାଜନୀତିରେ କିଏ କାହାର। ମାସେ ଧରି ଚାଲିଛି ଘଣ୍ଟାଚକଟା, ଛକାପଞ୍ଝା। ଏବେ ସେହି ମନ୍ଥନରୁ କଣ ବାହାରୁଛି ତାହା ଜଣା ପଡିଯିବ। ଜଣା ପଡ଼ିଯିବ ଦିଲ୍ଲୀପ ନା ଦତ୍ତେଶ୍ବର ଚତୁର୍ଥ ଆସନରେ ବସିବ କିଏ। ଜଣା ପଡ଼ିଯିବ ନବୀନ ଓ ଭକ୍ତ ଏକାଠି ବସିବା ପରେ ଗଣିତକୁ କି ପ୍ରଭାବ ପକାଇଛି। କଣ ବିଜେଡି ଏବଂ କଂଗ୍ରେସ ଏକଜୁଟ ହୋଇ ଦତ୍ତେଶ୍ବରଙ୍କୁ ଜିତାଇବାରେ ସକ୍ଷମ ହେଉଛନ୍ତି ନା ନାହିଁ ତାହା ସ୍ପଷ୍ଟ ହେବ।
ନିର୍ବାଚନରେ ଭକ୍ତ ଦାସ କଂଗ୍ରେସର ଏଜେଣ୍ଟ ହେବେ ଏବଂ ନିଜ ଦଳର ବିଧାୟକଙ୍କ ଭୋଟ୍ ନିଜେ ପରଖିବେ। ତେଣୁ ଭକ୍ତଙ୍କ ପ୍ରତି ୧୪ ବିଧାୟକ କେତେ ଅନୁରକ୍ତ ତାହା ସେ ହିଁ ଜାଣିପାରିବେ। ସେହିପରି ସ୍ପଷ୍ଟ ହୋଇଯିବ କଂଗ୍ରେସ ନିଜ ବିଧାୟକମାନଙ୍କୁ ବେଙ୍ଗାଲୁରୁ ନେବା ଦ୍ବାରା ନିଜ ରଣନୀତିରେ ସଫଳ ହେଉଛି କି ନାହିଁ। ସ୍ପଷ୍ଟ ହୋଇଯିବ ମହମ୍ମଦ ମୋକିମଙ୍କୁ କଂଗ୍ରେସ, ଦଳରୁ ବହିଷ୍କାର କରିଥିଲେ ବି ତାଙ୍କ ଝିଅ ସୋଫିଆଙ୍କ ଆଭିମୁଖ୍ୟ କେଉଁ ଆଡକୁ ରହିଛି। ଜଣା ପଡ଼ିବ ଦାଶରଥୀ ଗମାଙ୍ଗ ନିଖୋଜ ହେବାର ରହସ୍ୟ। କଂଗ୍ରେସର ନୋଟିସ ପେଶିବା ପରେ ସେ ଭୋଟ ଦେବାକୁ ଆସୁଛନ୍ତି ନା ନାହିଁ। ଯଦି ଆସୁଛନ୍ତି ତେବେ କେଉଁଆଡ଼େ ଯାଉଛନ୍ତି।
ଜଣା ପଡ଼ିଯିବ ଗତ ୨୪ ବର୍ଷ ଧରି ବିଜେଡି ବିଧାୟକମାନେ ଏକଜୁଟ ହୋଇ ଭୋଟ ଦେଇ ଆସୁଥିବା ବେଳେ ଏବେ ସେହି ଧାରା ଜାରି ରହୁଛି କି ନାହିଁ। ନଜରରେ ରହିବ ବିଜେଡିରୁ ନିଲମ୍ବିତ ହୋଇଥିବା ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମକାହୁଡ଼ଙ୍କ ବିବେକ କୁଆଡ଼େ ଯିବାକୁ କହୁଛି। ସବୁଠାରୁ ବଡ଼ କଥା ହେଉଛି ଶାସନକୁ ଆସିବା ପରେ ବିଜେପି ବିରୋଧୀଙ୍କୁ ମାତ ଦେଇ ଚତୁର୍ଥ ଆସନ ଝାମ୍ପି ପାରୁଛି ନା ନାହିଁ।
କାଲି ସକାଳ ୯ଟାରେ ବିଧାନସଭାରେ ହେବ ମତଦାନ। ଏହା ୪ଟା ଯାଏଁ ଚାଲିବ। ୪ଟା ଭିତରେ ସମସ୍ତ ୧୪୭ ବିଧାୟକ ଶୃଙ୍ଖଳିତ ଭାବେ ସେମାନଙ୍କର ମତଦାନ କରିବେ। ଯଦି କୌଣସି ବିଧାୟକ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କର ଉଦ୍ଦେଶ୍ୟ ଏବଂ କାରଣ ରାଜ୍ୟ ରାଜନୀତି ପାଇଁ ନୂଆ ସଙ୍କେତ ମଧ୍ୟ ଦେବ, ତା ଉପରେ ମଧ୍ୟ ରହିବ ନଜର। ୫ଟା ବେଳେ ମତ ଗଣନା ଆରମ୍ଭ ହେବ। ଏହାର କିଛି ସମୟରେ ଫଳାଫଳ ପ୍ରକାଶ ପାଇବ।
ନବୀନ ନିବାସରେ ରାତ୍ରି ଭୋଜନ, ବେଙ୍ଗାଲୁରୁ ରିସୋର୍ଟ ରହଣୀ ଆଉ ପାରାଦୀପରେ କ୍ୟାମ୍ପ ପଲିଟିକ୍ପରେ ଦଳଗୁଡ଼ିକର ରଣନୀତି କେତେ ସଫଳ ହୋଇଛି ଏବଂ କେଉଁଠି ରହିଛି ଘଳିଆ ତାହା ଉପରେ ସାରା ରାଜ୍ୟର ନଜର ରହିଛି। କାଲି ସକାଳେ ବିଜେପି ବିଧାୟକମାନେ ସିଧା ବିଧାନସଭାରେ ପହଞ୍ଚିବେ। କଂଗ୍ରେସ ବିଧାୟକମାନେ ରାତି ବା ସକାଳ ସୁଦ୍ଧା ବେଙ୍ଗାଳୁରୁରୁ ଫେରି ହୋଟେଲରେ ରହିବେ। ଆଉ କିଛି ବିଧାୟକ ସିଧା କାଲି ବିଧାନସଭାରେ ପହଞ୍ଚିବେ।
ରାଜ୍ୟସଭା ନିର୍ବାଚନ ସ୍ପଷ୍ଟ ସନ୍ଦେଶ ଦେବ ମନମୋହନ, ନବୀନ ଏବଂ ଭକ୍ତ ନିଜ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ସହ ନିଜ ରଣନୀତିରେ କେତେ ସଫଳ ହେଉଛନ୍ତି । ଏହାପରେ ବି ଆଗକୁ ନଜର ରହିବ, ଭକ୍ତ ନବୀନ କେବଳ ଏହି ନିର୍ବାଚନ ପାଇଁ ଏକାଠି ବସିଲେ ନା ଆଗକୁ ହାତ ଧରାଧରି ଚାଲିବେ।

Leave a Reply

Your email address will not be published. Required fields are marked *