କେନ୍ଦୁଝର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଉପହାର ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍ରେ ପରିଣତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ବିଲ ଅଞ୍ଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରୀଡ୍ ସବ୍ଷ୍ଟେସନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ, କେନ୍ଦୁଝରକୁ ପୂର୍ବ ଭାରତର ‘ଦ୍ୱିତୀୟ ଜାମସେଦପୁର’ ଭାବେ ଗଢ଼ିତୋଳାଯିବ। ଜିଲ୍ଲାରେ ଥିବା ପ୍ରଚୁର ଖଣିଜ ସମ୍ପଦର ସଠିକ୍ ବିନିଯୋଗ କରି ଏହାକୁ ଶିଳ୍ପାୟନ କ୍ଷେତ୍ରରେ ଦେଶର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଚ୍ଚବାଲି ଗ୍ରୀଡ୍ ସବଷ୍ଟେସନ ସମେତ ୫ଟି ନୂଆ ଟ୍ରାନ୍ସମିଶନ ଲାଇନର ମଧ୍ୟ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବା ଫଳରେ କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ସିଧାସଳଖ ଉପକୃତ ହେବେ। ଏହାଦ୍ୱାରା ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟାର ସମାଧାନ ହେବା ସହ ଶିଳ୍ପ ସଂସ୍ଥାଗୁଡ଼ିକୁ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିପାରିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, “ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ହିଁ ଏକ ବିକଶିତ ସମାଜର ପ୍ରକୃତ ପରିଚୟ। ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝରକୁ ‘ସୁନାର କେନ୍ଦୁଝର’ରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ।” ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଶକ୍ତି ଭିତ୍ତିଭୂମି ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ଦିଗ:
- ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା: ଉଚ୍ଚବାଲି ଗ୍ରୀଡ୍ ସହିତ ୫ଟି ନୂଆ ଟ୍ରାନ୍ସମିଶନ ଲାଇନ ଦ୍ୱାରା କେନ୍ଦୁଝର ସଦର, ତେଲକୋଇ, ଝୁମ୍ପୁରା, ଯୋଡ଼ା ଏବଂ ବଡ଼ବିଲ ଅଞ୍ଚଳର ପ୍ରାୟ ୭.୧୭ ଲକ୍ଷ ଉପଭୋକ୍ତା ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ପାଇବେ।
- ଆଧୁନିକ ଶକ୍ତି ନବଜାଗରଣ: ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୨୦୩୬ ସୁଦ୍ଧା ଆହୁରି ୩୪ଟି ନୂଆ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରାଯିବ। ପ୍ରଥମ ଥର ପାଇଁ ଭୁବନେଶ୍ୱର, ଯାଜପୁର, ଝାରସୁଗୁଡ଼ା ଓ ଗଜପତିରେ ୭୬୫ କେଭି ଗ୍ରୀଡ୍ ନିର୍ମାଣର ଯୋଜନା ରହିଛି।
- ହଟଲାଇନ ମେଣ୍ଟେନାନ୍ସ: ଏବେ ମରାମତି ପାଇଁ ଆଉ ବିଦ୍ୟୁତ୍ କାଟ୍ର ଆବଶ୍ୟକତା ପଡ଼ିବ ନାହିଁ। OPTCL ପକ୍ଷରୁ ‘ହଟଲାଇନ ମେଣ୍ଟେନାନ୍ସ’ ବ୍ୟବସ୍ଥା ଆରମ୍ଭ କରାଯିବ, ଯାହାଦ୍ୱାରା ଚଳନ୍ତି ବିଦ୍ୟୁତ୍ ତାରରେ ମଧ୍ୟ କାମ କରାଯାଇପାରିବ।
- ଡିଜିଟାଲ ପରିଚାଳନା: ମଞ୍ଚେଶ୍ୱରଠାରେ ନୂତନ ‘ଷ୍ଟେଟ୍ ଲୋଡ୍ ଡିସପାଚ୍ ସେଣ୍ଟର’ (SLDC) ଏବଂ STAMS ପ୍ରକଳ୍ପ ଜରିଆରେ ୭୦ଟି ଗ୍ରୀଡ୍କୁ ରିମୋଟ୍ ମାଧ୍ୟମରେ ପରିଚାଳନା କରାଯିବ।
- ଶିଳ୍ପାୟନ ଓ ସୁନାର କେନ୍ଦୁଝର: ଜାପାନର JFE Steel କୁ କେନ୍ଦୁଝରରେ କାରଖାନା ଗଢ଼ିବାକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦୁଝରର ବିକାଶ ଦାୟିତ୍ୱ ମୋର। ଖଣିଜ ସମ୍ପଦରେ ଭରା ଏହି ଜିଲ୍ଲାକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ।”
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗଦେଇ କହିଥିଲେ ଯେ, ଆଜିର ଏହି ପ୍ରକଳ୍ପ କେବଳ କେନ୍ଦୁଝର ନୁହେଁ, ବରଂ ସୁନ୍ଦରଗଡ଼, ଅନୁଗୋଳ ଓ ବଇଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ବିଦ୍ୟୁତ୍ ସେବାକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ୨୦୨୮ ସୁଦ୍ଧା ଓଡ଼ିଶା ବିଦ୍ୟୁତ୍ ସଙ୍କଟରୁ ସମ୍ପୂର୍ଣ୍ଣ ମୁକ୍ତ ହେବ।
ଏହି ଶିଳାନ୍ୟାସ ଉତ୍ସବରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡକ୍ଟର ଫକିର ମୋହନ ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, OPTCL CMD ଭାସ୍କର ଜ୍ୟୋତି ଶର୍ମା ଏବଂ ଜିଲ୍ଲାପାଳ ବିଶାଲ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ମେଗା ପ୍ରକଳ୍ପ କେବଳ କେନ୍ଦୁଝରର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ନାହିଁ, ବରଂ ଓଡ଼ିଶାର ଶକ୍ତି ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ବୋଲି ଆଶା କରାଯାଉଛି।
