କଟକ : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ପ୍ରଚଣ୍ଡ ଖରାରେ ପଥଚାରୀ ଓ ଶ୍ରମଜୀବୀମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ‘ହେମରାଜ ଫାଉଣ୍ଡେସନ’ ଏବଂ ‘ନଗର ଖବର’ ପକ୍ଷରୁ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରସିଦ୍ଧ ଶକ୍ତିପୀଠ ମା’ ଦକ୍ଷିଣ କାଳିକାଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ଏବଂ ପଥଚାରୀମାନଙ୍କୁ ସୁଶୀତଳ ପଣା ବଣ୍ଟନ କରାଯାଇଛି।
ବର୍ତ୍ତମାନର ଗୁଳୁଗୁଳି ଓ ଖରାକୁ ଦୃଷ୍ଟିରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ପଣା ପିଇ ନିଜର ଶୋଷ ମେଣ୍ଟାଇବା ସହ ଆଶ୍ୱସ୍ତି ଅନୁଭବ କରିଥିଲେ। ମନ୍ଦିରକୁ ଆସୁଥିବା ଭକ୍ତ ଏବଂ ରାସ୍ତାରେ ଯାଉଥିବା ସାଧାରଣ ଜନତାଙ୍କୁ ଏହି ସେବା ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଆୟୋଜକ ମାନେ ପ୍ରକାଶ କରିଥିଲେ ଯେ, ସାମାଜିକ ଦାୟିତ୍ୱବୋଧର ସହ ଜନସାଧାରଣଙ୍କ ସେବା କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ସେବା କାର୍ଯ୍ୟକ୍ରମକୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ପରିଚାଳନା କରିଥିଲେ। ଏଥିରେ ଡ. ବନଜ ରାୟ, ବରିଷ୍ଠ ସାମ୍ବାଦିକ ଅଜୟ ମହାନ୍ତି, ନଗର ଖବରର ପ୍ରତିଷ୍ଠାତା ସଂପାଦକ ପ୍ରଦୀପ ଦାସ, ସମାଜସେବୀ ରାମଚନ୍ଦ୍ର ସେଠୀ, ଶିବରାଜ ସାହୁ, ପାର୍ଥସାରଥୀ ଦାସ, ସାଇ ଶୁଭମ୍(ସୋନୁ) ଏବଂ ପଦ୍ମଲୋଚନା ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।
ହେମରାଜ ଫାଉଣ୍ଡେସନ ଓ ନଗର ଖବରର ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ଏଭଳି ସାମାଜିକ କାର୍ଯ୍ୟ ଜାରି ରହିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
