କଟକ : କଟକ ଜିଲ୍ଲାର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆଜି ନିଆଳି ବିଧାୟକ ଛବି ମଲ୍ଲିକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭାବେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏକ ବିଶାଳ ପଟୁଆରରେ ଆସି ଶ୍ରୀ ମଲ୍ଲିକ କାର୍ଯ୍ୟାଳୟରେ ପହଞ୍ଚିବା ପରେ, ଅତ୍ୟନ୍ତ ଶ୍ରଦ୍ଧାର ସହ ଚପଲ ଖୋଲି ଓ ନିଜ ଆସନକୁ ପ୍ରଣାମ କରି ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର ଏହି ନିରାଡ଼ମ୍ବର ଶୈଳୀ ସେଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରଭାବିତ କରିଥିଲା।
ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କ ସମେତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଜେପିର ବହୁ ବରିଷ୍ଠ ନେତୃତ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀ ମଲ୍ଲିକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଆସନ୍ତା ଏକ ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର ସମୀକ୍ଷା କରାଯିବ ଏବଂ ଗାଁଠୁ ସହର ସବୁଠି ସମାନ ଭାବେ ବିକାଶ ପହଞ୍ଚାଇବା ତାଙ୍କର ମୁଖ୍ୟ ପ୍ରାଥମିକତା ରହିବ।
