ନିଟ୍-ୟୁଜି ପେପର୍ ଲିକ୍ ମହାଘୋଟାଲା: ୩୦ ଲକ୍ଷରେ ବିକ୍ରି ହେଉଛି ପିଲାଙ୍କ ଭବିଷ୍ୟତ, ରାଜରାସ୍ତାରେ ନିଆଁ ଓ ବିକ୍ଷୋଭ

ରାଜ୍ୟ
Spread the love

ନୂଆଦିଲ୍ଲୀ: ସାରା ଦେଶରେ ଏବେ ହଙ୍ଗାମା, ବିକ୍ଷୋଭ ଓ ପ୍ରତିବାଦର ସ୍ୱର। ଦେଶର ପ୍ରାୟ ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। କାରଣ ଗୋଟିଏ ପ୍ରଶ୍ନପତ୍ରର ଦାମ୍ ଲାଗିଛି ୩୦ ଲକ୍ଷ ଟଙ୍କା। ନିଟ୍-ୟୁଜି (NEET-UG) ପରୀକ୍ଷାରେ ପେପର୍ ଲିକ୍ ଘଟଣାକୁ ନେଇ ଏବେ ସାରା ଦେଶ ଉଠୁଛି ପଡ଼ୁଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ସମ୍ମୁଖରୁ ଆରମ୍ଭ କରି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ପ୍ରତିବାଦର ନିଆଁ ଜଳୁଛି।

ଏହି ଦୁର୍ନୀତି ବିରୋଧରେ ବିଭିନ୍ନ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଫେକ୍ ନୋଟ୍ ଫିଙ୍ଗି ଏକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଯୁବ କଂଗ୍ରେସ କର୍ମୀମାନେ ଶିକ୍ଷା ମନ୍ତ୍ରଣାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରି ପୋଲିସ୍ ସହ ମୁହାଁମୁହିଁ ହୋଇଛନ୍ତି। ସେହିପରି ଏବିଭିପି (ABVP) ପକ୍ଷରୁ ମଧ୍ୟ NTA ଅଫିସ୍ ଆଗରେ ଧାରଣା ଦିଆଯିବା ସହ ଦୁର୍ନୀତିଗସ୍ତ ଅଧିକାରୀଙ୍କ ବରଖାସ୍ତ ଦାବି କରାଯାଇଛି।

ପରୀକ୍ଷା ପରିଚାଳନାରେ GPS, AI, ବାୟୋମେଟ୍ରିକ ଓ ସିସିଟିଭି ଭଳି ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତ୍ୱେ ପେପର୍ ଲିକ୍ କିଭଳି ହେଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଗତ ଦୁଇ ବର୍ଷରେ ଦୁଇ ଥର ଲିକ୍ ଘଟଣା କେନ୍ଦ୍ର ସରକାର ଓ NTAର ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜୋତା ଠାରୁ ଆରମ୍ଭ କରି କାନ ପର୍ଯ୍ୟନ୍ତ ଯାଞ୍ଚ କରି କଡ଼ା ଶାସନର ଭ୍ରମ ସୃଷ୍ଟି କରୁଥିବା ଏଜେନ୍ସିର ମୁଖା ଏବେ ଖୋଲିବାରେ ଲାଗିଛି।

ସିବିଆଇ ତଦନ୍ତରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମେ’ ୩ ତାରିଖ ପରୀକ୍ଷା ପୂର୍ବରୁ ସୋସିଆଲ୍ ମିଡିଆରେ ଏକ ୧୫୦ ପୃଷ୍ଠାର ‘ଗେସ୍ ପେପର୍’ ପିଡିଏଫ୍ ଘୂରି ବୁଲୁଥିଲା। ଏହି ପେପରର ପ୍ରଶ୍ନ ସହ ମୂଳ ପରୀକ୍ଷାର ପ୍ରାୟ ୬୦୦ ମାର୍କର ପ୍ରଶ୍ନ ସମାନ ଥିଲା। ଏହି ପେପରଟି ହରିୟାଣା ଗୁରୁଗ୍ରାମର ଜଣେ ଡାକ୍ତରଙ୍କ ଠାରୁ ରାଜସ୍ଥାନର ଦୁଇ ଭାଇ ମଙ୍ଗିଲାଲ ଓ ଦିନେଶ ବିୱାଲ୍ ୩୦ ଲକ୍ଷ ଟଙ୍କାରେ କିଣିଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ନାସିକର ଆୟୁର୍ବେଦ ଛାତ୍ର ଶୁଭମ୍ ଖେରନାର୍ ବୋଲି ଜଣାପଡ଼ିଛି, ଯିଏ ଗିରଫଦାରୀରୁ ବର୍ତ୍ତିବା ପାଇଁ ଲଣ୍ଡା ହୋଇ ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲା।

ସୂଚନାଯୋଗ୍ୟ ଯେ, ନାସିକରେ ହିଁ ନିଟ୍ ପେପର୍ ପ୍ରିଣ୍ଟ ହୁଏ। ଯଦି ସେଠାରୁ ପେପର୍ ଭାଇରାଲ୍ ହୋଇଛି, ତେବେ ଏଥିରେ NTAର କୌଣସି ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ୨୦୨୪ରେ ସମାନ ଧରଣର ଅଭିଯୋଗ ପରେ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନ୍ କମିଟି AI ଜରିଆରେ ଅନଲାଇନ୍ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏହାକୁ କାର୍ଯ୍ୟକାରୀ ନ କରିବା ଆଜି ଏଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ଶିକ୍ଷାବିତ୍ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

୨୩ ଲକ୍ଷ ପିଲାଙ୍କ ପରିଶ୍ରମ ଓ ସ୍ୱପ୍ନକୁ ମାତ୍ର କିଛି ଟଙ୍କା ପାଇଁ ବଳି ପକାଇଥିବା ଏହି ରାକେଟ୍ ପଛରେ ପ୍ରକୃତରେ କିଏ ଅଛି, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *