ଭୁବନେଶ୍ୱରରେ ତେଲ ଅଭାବ ! ୩ ଦିନରେ ୫୦% ବିକ୍ରି ବୃଦ୍ଧି, ସରକାରଙ୍କୁ ଦାୟୀ କଲା ଡିଲର୍ ସଂଘ

ରାଜ୍ୟ
Spread the love

• ଭୁବନେଶ୍ୱରରେ ତେଲ ଅଭାବ
• ୩ ଦିନରେ ୫୦% ବିକ୍ରି ବୃଦ୍ଧି
• ସରକାରଙ୍କୁ ଦାୟୀ କରି ଗର୍ଜିଲା ଡିଲର୍ ସଂଘ
• ସରକାର-କମ୍ପାନୀ ସମନ୍ୱୟ ଅଭାବ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱରରେ ଅଭାବ ହେଲାଣି ପେଟ୍ରୋଲ ଓ ଡିଜେଲ୍। ଏ ଅଭାବ ଯୋଗାଣ କମ ଯୋଗୁ ନୁହେଁ ବରଂ ଭୟଭିତ ହୋଇ ଅଧିକ କିଣିନେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଗତ ୩ ଦିନରେ ୫୦ ପ୍ରତିଶତ ତୈଳ ବିକ୍ରି ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ, ରାଜଧାନୀ ଓ ଆଖପାଖରେ ମୋଟ ୪୨ଟି ପେଟ୍ରୋଲ ପମ୍ପ ରହିଛି। ଏଗୁଡ଼ିକର ଷ୍ଟୋରେଜ କ୍ଷମତା ୨୫ ଲକ୍ଷ ଲିଟର ରହିଛି। ଯେଉଁଥିରେ ଅଧା ପେଟ୍ରୋଲ ଓ ଅଧା ଡିଜେଲ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଗତ ୩ ଦିନରେ ବିକ୍ରି ହୋଇଗଲାଣି ୩ ଲକ୍ଷ ୪୦ ହଜାର ଲିଟର ପେଟ୍ରୋଲ। ଡିଜେଲ ବିକ୍ରି ହୋଇଛି ୨ ଲକ୍ଷ ୩୬ ହଜାର ଲିଟର। ତୈଳ ଅଭାବ ଭୟରେ ଲୋକମାନେ ଅଧିକ ତେଲ କିଣି ନେବା କାରଣରୁ ଗତ ୩ ଦିନରେ ତୈଳ ବିକ୍ରି ୫୦ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ଷ୍ଟକ୍ ଖାଲି ହେବାରେ ଲାଗିଛି।
ଏଭଳି ପରିସ୍ଥିତି କାହିଁକି ଉପୁଜିଲା ? କମ୍ପାନୀ,ସରକାର କିମ୍ବା ଡିଲରମାନଙ୍କ ମଧ୍ୟରେ ସମନ୍ୱୟ ରହିଲା ନାହିଁ କାହିଁକି ? ପ୍ରକୃତରେ ଦୋଷ କାହାର ସରକାରଙ୍କର ,କମ୍ପାନୀ ନା ଲୋକଙ୍କର ? ଏବେ ନେଇ ପ୍ରଶ୍ନ ଉଠୁଥିବା ବେଳେ ଡିଲର ସଂଘ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରତି ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି।
ପେଟ୍ରୋଲ ପମ୍ପ୍ ଆସୋସିଏସନ୍ ଏହି ଘଟଣାରେ ସରକାର ଓ ତେଲ କମ୍ପାନୀଗୁଡ଼ିକ ଉପରେ ଦୋଷ ଲଦିଛନ୍ତି। ସମସ୍ୟା ଆଜି କାଲିରେ ସମାଧାନ ହେବ ବୋଲି କୁହାଯାଉଛି। କିନ୍ତୁ ପ୍ରଶ୍ନ, ଡିଲର୍ ପେମେଣ୍ଟ ଦେଇଥିଲେ ବି ତେଲ କମ୍ପାନୀ ତେଲ ଛାଡୁ ନାହାଁନ୍ତି କାହିଁକି ? ସରକାର ଆମ ସହ ବସୁ ନାହାନ୍ତି। ଆନ୍ଧ୍ରାରେ କ୍ରାଇସିସ ହୋଇଥିଲା, ଓଡ଼଼ିଶା ସଚେତନ ହେବା କଥା, ହେଲେ ସରକାର ସେ ନେଇ କୌଣସି ସଚେତନ ହେଉ ନାହାନ୍ତି ବୋଲି ପେଟ୍ରୋଲ ପମ୍ପ ଆସୋସିସଏନ ସଭାପତି ସଞ୍ଜୟ ଲାଠ ଅଭିଯୋଗ କରିଛନ୍ତି।
ଆସୋସି ସିଏନ ଆହୁରି କହିଛି ଯେ ସଚିବ ତେଲ କମ୍ପାନୀକୁ ଡାଟା ମାଗନ୍ତୁ। ସବୁ ଷ୍ଟେକ୍ ହୋଲ୍ଡରଙ୍କୁ ବସାନ୍ତୁ। ସତ ଜଣା ପଡିବ। ଅଟୋମେସନ ସିଷ୍ଟମ କ୍ଷମତାର ବ୍ୟବହାର ରାଜ୍ୟ ସରକାର ତେଲ ଯୋଗାଇବା କଥା ବୋଲି ସଂଘ କହିଛି।
ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍ ଅଛି ବୋଲି କହିଛନ୍ତି। କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେସବୁ ଟାଙ୍କିରେ ତେଲ ପହଞ୍ଚିଯିବ ବୋଲି ସେ କହିଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ ଡିଜେଲ୍ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ନିଜ ଦେଶକୁ ନିଜେ ପାଳନ କରି ନିଜ କନଭୟକୁ ମଧ୍ୟ କମାଇ ଦେଇଥିଲେ। ହେଲେ ଲୋକେ ତେଲ ନମିଳିବା ଆଶଙ୍କାରେ ତେଲ ଟାଙ୍କି ଖାଲି କରି ଦେଉଛନ୍ତି । ଗ୍ୟାସ୍ ପାଇଁ ଯେଭଳି ହୋ-ହଲ୍ଲା ଚାଲିଥିଲା, ଠିକ୍ ସେମିତି ଏବେ ପେଟ୍ରୋଲ ଡିଜେଲ ପାଇଁ ହୋ-ହଲ୍ଲା ଚାଲିଛି। ଗ୍ୟାସ୍ ଭଳି ଖୁବ୍ ଶୀଘ୍ର ତେଲ ସମସ୍ୟା ଦୂର ହେବ ବୋଲି କହିଛନ୍ତି ସରକାର।
ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି, ଲୋକେ ଛାନିଆ ହୋଇ ତେଲ କିଣନ୍ତୁନି । ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ୍ ଅଛି । ରାଜ୍ୟରେ ଥିବା ୨୮ଶହ ପେଟ୍ରୋଲ ପମ୍ପ ମଧ୍ୟରୁ ମାତ୍ର ୨୦ରୁ ୩୦ ଟାଙ୍କିରେ ତେଲ ସରିଯାଇଛି। କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍ କରୁ ନଥିବାରୁ ସେମାନଙ୍କୁ ତେଲ ମିଳିନଥିବ। ଖୁବ୍ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ । ଯେଉଁମାନେ ତେଲର କଳାବଜାରୀ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗାଣ ସଚିବ।

Leave a Reply

Your email address will not be published. Required fields are marked *