ପୁରୀ: ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ନେଇ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସେ କହିଛନ୍ତି, ରତ୍ନଭଣ୍ଡାର ଗଣତି ପ୍ରକ୍ରିୟାଆମ ସମସ୍ତଙ୍କ ପାଇଁ ଏକ ଦିବ୍ୟ ଅନୁଭୂତି। ମହାପ୍ରଭୁଙ୍କ ଅଶେଷ କୃପା ଓ ଆଶୀର୍ବାଦରୁ ସମଗ୍ର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ, ସୁଚାରୁ ତଥା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଆଗେଇ ଚାଲିଛି। ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା କମିଟିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସାଥୀଅଧିକାରୀ ଏବଂ ବିଶେଷକରି ସେବକବନ୍ଧୁମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରୁଛି।
ବର୍ତ୍ତମାନର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼, ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା କମିଟି (ଏବଂ ସବ୍-କମିଟି)ର ବୈଠକଗୁଡ଼ିକ କ୍ରମାଗତ ଭାବେ ଆୟୋଜିତ ହେବ। ଉପରୋକ୍ତ ପରିପ୍ରେକ୍ଷୀରେ, ଆସନ୍ତାକାଲିଠାରୁ ଏହି ପର୍ଯ୍ୟାୟର ରତ୍ନଭଣ୍ଡାର ଗଣତି କାର୍ଯ୍ୟକୁ ସ୍ଥଗିତ ରଖି, ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ତେବେ ଆଜି (୨୩ ମେ)ର ଗଣତି କାର୍ଯ୍ୟ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚାଲିବ।
