ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ପକ୍ଷରୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କଲେ ରୁବିଓ

ଦେଶବିଦେଶ
Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ହ୍ୱାଇଟ ହାଉସକୁ ନିମନ୍ତ୍ରଣ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ମୋଦିଙ୍କୁ ଭେଟିବା ପରେ ଏପରି ନିମନ୍ତ୍ରଣ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମୋଦିଙ୍କୁ ହ୍ୱାଇଟ ହାଉସକୁ ରୁବିଓ ନିମନ୍ତ୍ରଣ କରିଥିବା ସୂଚନା ଦେଇଛନ୍ତି। ସେହିପରି ରୁବିଓଙ୍କ ସହ ମୋଦି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଓ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ରୁବିଓ ଆଜି ଠାରୁ ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ପ୍ରଥମ ଦିନରେ ସେ ମୋଦିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଇରାନ ଯୁଦ୍ଧ ମଧ୍ୟରେ ୨ ଦେଶ ଶକ୍ତି ଠାରୁ ଆରମ୍ଭ କରି ବାଣିଜ୍ୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥା ହୋଇଛନ୍ତି।
ଆମେରିକା ରାଷ୍ଟ୍ରଦୂତ ସେରଗିଓ ଗୋର ମଧ୍ୟ ରୁବିଓଙ୍କ ସହ ମୋଦିଙ୍କୁ ଭେଟିଛନ୍ତି। ସେ କହିଛନ୍ତି, ଆଲୋଚନା ଇଣ୍ଡୋ-ପ୍ୟାସିଫ ଉପରେ ମଧ୍ୟ ରହିଛି। ଏଠାରେ ଚାଇନା ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ଚାଇନାକୁ ଏହି ଅଞ୍ଚଳରେ କାଉଣ୍ଟର କରିବା ପାଇଁ ଆମେରିକା ସର୍ବଦା ଭାରତକୁ ବିକଳ୍ପ ଭାବେ ଦେଖି ଆସିଛି। ତେଣୁ ଆଜି ଆମେରିକୀୟ ପ୍ରତିନିଧିମାନେ ମୋଦିଙ୍କ ସହ ଇଣ୍ଡୋ-ପ୍ୟାସିଫ ପ୍ରସଙ୍ଗରେ ବି କଥା ହୋଇଛନ୍ତି।
ଗୋର ଏକ୍ସରେ ଲେଖିଛନ୍ତି, “ସୁରକ୍ଷା, ବାଣିଜ୍ୟ ଓ ପ୍ରମୁଖ ଟେକୋଲୋଜିଗୁଡ଼ିକ କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତା ସମ୍ପର୍କରେ ଆମେ ଗୋଟିଏ ଫଳପ୍ରଦ ଆଲୋଚନା କରିଛୁ। ଆମେରିକାର ଗୋଟିଏ ପ୍ରମୁଖ ସହଯୋଗୀ ହେଉଛି ଭାରତ।” ଆଗାମୀ ଭବିଷ୍ୟତରେ ପ୍ରଧାନମନ୍ତ୍ରୀଙ୍କୁ ହ୍ୱାଇଟ ହାଉସକୁ ନିମନ୍ତ୍ରଣ କରାଯାଇଥିବା ସେ କହିଛନ୍ତି।
ମୋଦିଙ୍କ ସହ ବୈଠକ ବେଳେ ରୁବିଓ ଆମେରିକା ଶକ୍ତି ଉତ୍ପାଦ ପ୍ରସଙ୍ଗ ଉଠାଇଛନ୍ତି। ଏହା ଭାରତର ଶକ୍ତି ଯୋଗଣାରେ ବିବିଧତା ଆଣିବ ବୋଲି କହିଛନ୍ତି। ଭାରତ ତା’ର ୮୦% ଅଶୋଧିତ ତୈଳ ଷ୍ଟ୍ରେଟ ଅଫ ହର୍ମୁଜ ମାଧ୍ୟମରେ ଆମଦାନୀ କରିଥାଏ। ଇରାନ ଯୁଦ୍ଧ ଯୋଗୁ ହର୍ମୁଜ ବନ୍ଦ ରହିଛି। ତେଣୁ ଭାରତର ଯୋଗାଣ ମଧ୍ୟ ପ୍ରଭାବିତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ରୁବିଓ ଭାରତକୁ ଆମେରିକା ଶକ୍ତି ପ୍ରତି ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ଇରାନକୁ କେବେ ହେଲେ ବି ବିଶ୍ୱ ଶକ୍ତି ବଜାରକୁ ପଣବନ୍ଦୀ କରି ରଖିବାକୁ ଆମେରିକା ଦେବ ନାହିଁ ବୋଲି ମଧ୍ୟ ରୁବିଓ କହିଛନ୍ତି।
ଭେନେଜୁଏଲାର ତୈଳ ଶିଳ୍ପ ଉପରେ ଆମେରିକା ନିଜର ଦଖଲ ଜାହିର କରିଛି। ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକା ପଣବନ୍ଦୀ କରିବା ପରେ ଏପରି ସଫଳତା ପାଇଛି।
ଭେଟଘାଟର ଫଟୋକୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକ୍ସରେ ପୋଷ୍ଟ କରିଛନ୍ତି। ତାଙ୍କ କହିବା କଥା ଯେ ଆଞ୍ଚଳିକ ଓ ବିଶ୍ୱ ଶାନ୍ତି ଠାରୁ ଆରମ୍ଭ କରି ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଛି। ଏପରି କହି ସେ ଇରାନ ବିବାଦ ସମ୍ପର୍କରେ ରୁବିଓଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *