ଭୁବନେଶ୍ବର : ୱାଣ୍ଡରଲା ହଲିଡେଜ୍ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧାରେ ପରିଚାଳିତ ୱାଣ୍ଡରଲା ପାର୍କକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଙ୍କ ନୋଟିସ୍। ଜଙ୍ଗଲ ଜମି ଜବରଦଖଲ ଓ ବେଆଇନ ନିର୍ମାଣ ଅଭିଯୋଗରେ ଏନଜିଟି ନୋଟିସ୍ ଜାରି କରିବା ସହ ଏହାର ତଦନ୍ତ ପାଇଁ ଏକ ଯୁଗ୍ମ କମିଟି ଗଠନ କରିଛନ୍ତି। ୪ସପ୍ତାହ ସୁଦ୍ଧା ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ଖୋର୍ଦ୍ଧାଠାରେ ପରିଚାଳିତ ୱଣ୍ଡରଲା ପାର୍କ ତାକୁ ଆବଂଟିତ ସରକାରୀ ଜମି ପାଖରେ ଥିବା ପ୍ରାୟ ୧.୮୬୦ଏକର ପରିମିତ ଜଙ୍ଗଲ ଜମିକୁ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ ବେଆଇନ ଭାବେ ଦଖଲ କରି ରହିଥିବା ନେଇ ଆବେଦନକାରୀ ଦିଲ୍ଲୀପ କୁମାର ସାମନ୍ତରାୟ ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ। ରାଜସ୍ୱ କର୍ତ୍ତୃପକ୍ଷ ଓ ଜଙ୍ଗଲ ବିଭାଗର ଅଧିକାରୀଙ୍କ ରିପୋର୍ଟ ଆଧାରରେ ଆବେଦନକାରୀଙ୍କ ଓକିଲ ଅଖଣ୍ଡ ଯୁକ୍ତି ଦର୍ଶାଇଥିଲେ ଯେ, ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ନାହି।
୨୦୨୬ ମଇ ୨୧ତାରିଖରେ ଏନଜିଟିଙ୍କ କୋଲକାତାସ୍ଥିତ ପୂର୍ବ ଜୋନ୍ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଶିବକୁମାର ସିଂ ଓ ବିଶେଷଜ୍ଞ ସଦସ୍ୟ ଈଶ୍ୱର ସିଂ ଏହି ଅଭିଯୋଗର ସତ୍ୟାସତ୍ୟ ପରଖିବା ପାଇଁ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ), ଖୋର୍ଦ୍ଧା ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଜଣେ ପ୍ରତିନିଧିଙ୍କୁ ନେଇ ଏକ ସ୍ୱତନ୍ତ୍ର ଯୁଗ୍ମ କମିଟି ଗଠନ କରିଛନ୍ତି।
ଏହି କମିଟିକୁ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରି ୪ସପ୍ତାହ ମଧ୍ୟରେ ବାସ୍ତବ ସ୍ଥିତି ଅନୁଧ୍ୟାନ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟ ପାଇଁ ସମନ୍ୱୟ ଓ ଆନୁସଙ୍ଗିକ ସହାୟତା ଯୋଗାଇ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କୁହାଯାଇଛି। ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କୁ ମଧ୍ୟ ଏକ ସପ୍ତାହ ମଧ୍ୟରେ ଆବେଦନପତ୍ରର ନକଲ ଓ ଦସ୍ତାବିଜକୁ କମିଟି ଏବଂ ବିରୋଧୀ ପକ୍ଷଙ୍କୁ ପ୍ରଦାନ କରି ଏକ ସତ୍ୟପାଠ ଦାଖଲ ପାଇଁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୧୧ତାରିଖରେ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି।
