ଦେବାଶିଷଙ୍କ ପଦ୍ମ ଧରିବା ପରେ ତିର୍ତ୍ତୋଲ ରାଜନୀତି ସରଗରମ: ବିଜେଡିର ମଙ୍ଗୁଆଳ ହେବ କିଏ?

ରାଜ୍ୟ
Spread the love

ଝଙ୍କଡ଼ : ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ସାଂସଦ ଦେବାଶିଷ ସାମନ୍ତରାୟ ବିଜେପିରେ ଯୋଗ ଦେବା ପରେ ଏବେ ସ୍ଥାନୀୟ ରାଜନୀତିରେ ହଲଚଲ ଦେଖାଦେଇଛି। ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କ ଗହଣରେ ସେ ପଦ୍ମ ଧରିବା ପରେ ଏବେ ତିର୍ତ୍ତୋଲରୁ ହିଁ ନିଜର ରାଜନୈତିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି। ଦେବାଶିଷଙ୍କ ଏହି ଦଳ ପରିବର୍ତ୍ତନ ପରେ ତିର୍ତ୍ତୋଲ ବିଜେଡିର ଭବିଷ୍ୟତ ଓ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେପି ମୁହାଁ ଅନୁଗତ, ଚାଲିଛି ଗୁପ୍ତ ବୈଠକ: ଦେବାଶିଷଙ୍କ ପରେ ତାଙ୍କର ଏକାନ୍ତ ଅନୁଗତମାନେ ମଧ୍ୟ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ତିର୍ତ୍ତୋଲର କିଛି ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଏବଂ ସମିତି ସଭ୍ୟ ବିଜେପିରେ ମିଶିବା ପାଇଁ ଏକ ମଣ୍ଡପରେ ‘ଗୁପ୍ତ ବୈଠକ’ କରି ଏକାଠି ହୋଇଛନ୍ତି। ଯଦି ଏହି ଜନପ୍ରତିନିଧିମାନେ ଦଳ ଛାଡ଼ନ୍ତି, ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ପାଇଁ ତିର୍ତ୍ତୋଲ ଗଡ଼ ରକ୍ଷା କରିବା କଷ୍ଟକର ହୋଇପଡ଼ିବ। ଏହି ଆଶଙ୍କାରେ ଏବେ ସାଧାରଣ ବିଜେଡି କର୍ମୀ ଓ ସମର୍ଥକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

କିଏ ହେବ ବିଜେଡିର ପରବର୍ତ୍ତୀ ନେତା? ଦେବାଶିଷଙ୍କ ବିଦାୟ ପରେ ତିର୍ତ୍ତୋଲ ବିଜେଡିର ମଙ୍ଗ ଧରିବା ପାଇଁ କିଛି ପ୍ରମୁଖ ଚେହେରାଙ୍କ ନାମ ଚର୍ଚ୍ଚାକୁ ଆସୁଛି। ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନର ଡଃ ମିନତି ବେହେରା ଏବଂ କଂଗ୍ରେସ ଛାଡ଼ି ବିଜେଡିକୁ ଆସିବା ଚର୍ଚ୍ଚାରେ ଥିବା ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ୱାଳଙ୍କ ନାମ ଆଗରେ ରହିଛି। ଏହା ବ୍ୟତୀତ କିଛି ନୂଆ ଚେହେରା ମଧ୍ୟ ଏହି ଦୌଡ଼ରେ ଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ସଜବାଜ ହେଉଛି ବିଜେପି: ଅନ୍ୟପଟେ, ଶାସକ ବିଜେପି ଶିବିର ଏବେ ବେଶ୍ ଉତ୍ସାହିତ। ଜିଲ୍ଲାର ଏକମାତ୍ର ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଜାରି ରହିଛି। ଦେବାଶିଷଙ୍କ ଆଗମନ ବିଜେପିକୁ ତୃଣମୂଳ ସ୍ତରରେ କେତେ ସୁଦୃଢ଼ କରୁଛି, ତାହା ଦେଖିବାକୁ ବାକି ରହିଲା। କିନ୍ତୁ କିଛି ପୁରୁଣା ବିଜେପି କର୍ମୀଙ୍କ ମଧ୍ୟରେ ନୂଆ ନେତାଙ୍କ ଆଗମନକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ପଞ୍ଚାୟତ ନିର୍ବାଚନ ଉପରେ ନଜର: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ‘ଦଳଡିଆଁ’ ରାଜନୀତି ଆହୁରି ଜୋରଦାର ହେବାର ସମ୍ଭାବନା ରହିଛି। ତେବେ ପଞ୍ଚାୟତ ନିର୍ବାଚନରେ ସାଧାରଣତଃ ଭୋଟରମାନେ ଦଳ ଅପେକ୍ଷା ବ୍ୟକ୍ତିର ସ୍ୱଚ୍ଛ ଭାବମୂର୍ତ୍ତିକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏଭଳି ସ୍ଥିତିରେ ନୀତି-ଆଦର୍ଶରେ ରହିଥିବା ନେତାଙ୍କୁ ଭୋଟର ବାଛୁଛନ୍ତି ନା ‘ଦଳବଦଳୁ’ ନେତାଙ୍କୁ ଗ୍ରହଣ କରୁଛନ୍ତି, ତାହା ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *