Bhakta

ବାଲେଶ୍ୱର ଘଟଣା: ରାଜ୍ୟ ସରକାରଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ରାଜ୍ୟ
Spread the love

ଭୁବନେଶ୍ୱର: ବାଲେଶ୍ୱରର ଚର୍ଚ୍ଚିତ ଘଟଣାକୁ ନେଇ ଶାସକ ବିଜେପି ଉପରେ ବର୍ଷିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ସେ କହିଛନ୍ତି, “ବାଲେଶ୍ୱର ଘଟଣାକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜା ପ୍ରକାଶ କରିବା ସମଗ୍ର ଓଡ଼ିଶା ପାଇଁ ଅପମାନଜନକ। ଏଭଳି ଏକ ସମ୍ବେଦନଶୀଳ ଘଟଣା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ କିପରି ଲଜ୍ଜା ଲାଗୁନାହିଁ? ସେମାନଙ୍କର ଶାସନରେ ରହିବାର କୌଣସି ନୈତିକ ଅଧିକାର ନାହିଁ ଏବଂ ସେମାନେ ତୁରନ୍ତ ଇସ୍ତଫା ଦେବା ଉଚିତ।”

ରାଜ୍ୟରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ବୋଲି ଅଭିଯୋଗ କରି ଶ୍ରୀ ଦାସ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଯଦି ନାରୀ ସୁରକ୍ଷିତ ନୁହେଁ, ତେବେ ସରକାର କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି, “ବର୍ଷେ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ମହିଳା କମିଶନ ଗଠନ କରାଯାଇପାରିଲା ନାହିଁ। ଏହି ସରକାର କ’ଣ କରିବାକୁ ଚାହୁଁଛନ୍ତି?”

ଏହି ପ୍ରସଙ୍ଗରେ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଆସନ୍ତାକାଲି ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦଳ ପକ୍ଷରୁ ‘ଶ୍ରଦ୍ଧାଞ୍ଜଳି ଦିବସ’ ପାଳନ କରାଯିବ। ଏହି ଅବସରରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସକାଳ ୯ଟା ସମୟରେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *