ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ମଧ୍ୟରେ ଲାଗି ରହିଥିବା ପ୍ରବଳ ଅସନ୍ତୋଷ ଏବେ ବିଦ୍ରୋହର ରୂପ ନେଇଛି। ଆଜି ଦିଲ୍ଲୀରେ ଟିଏମ୍ସିର ବହୁ ସଂଖ୍ୟକ ବିଦ୍ରୋହୀ ସାଂସଦ ଏକାଠି ହୋଇ ମମତା ବାନାର୍ଜୀଙ୍କ ନେତୃତ୍ବ ବିରୋଧରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ସରଗରମ ସ୍ଥିତି ଦେଖିବାକୁ ମିଳିଛି। ବିଦ୍ରୋହୀ ସାଂସଦମାନେ ପ୍ରଥମେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ବାସଭବନରେ ଏକ ରୁଦ୍ଧଦ୍ୱାର ବୈଠକ କରିବା ପରେ ସେଠାରୁ ସିଧାସଳଖ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାସଭବନକୁ ଯାଇ ନିଜର ଦାବି ଉପସ୍ଥାପନ କରିଛନ୍ତି।
ଏହି ବିଦ୍ରୋହୀ ସାଂସଦ ଗୋଷ୍ଠୀରେ ପୂର୍ବରୁ ସାଂସଦ କାକଳି ଘୋଷ ଦସ୍ତିଦାର ନେତୃତ୍ବ ନେଉଥିବା ବେଳେ ଏବେ ଦଳର ସବୁଠାରୁ ଅଭିଜ୍ଞ ତଥା ବରିଷ୍ଠ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କ ଉପସ୍ଥିତି ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସୁଦୀପ ବନ୍ଦୋପାଧ୍ୟାୟ ବିଦ୍ରୋହୀ ଶିବିରକୁ ଆସିବା ପରେ ଏହା ମମତା ବାନାର୍ଜୀଙ୍କ ପାଇଁ ଏକ ସାଂଘାତିକ ଧକ୍କା ବୋଲି କୁହାଯାଉଛି। ତାଙ୍କ ବ୍ୟତୀତ ଏହି ହାଇପ୍ରୋଫାଇଲ୍ ବୈଠକରେ ଶତାବ୍ଦୀ ରାୟ, ସାୟୋନୀ ଘୋଷ, ମାଲା ରାୟ, ବାପି ହାଲଦାର ଏବେ ପ୍ରସୂନ ବାନାର୍ଜୀଙ୍କ ଭଳି ପ୍ରମୁଖ ସାଂସଦମାନେ ସାମିଲ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଯାଦବଙ୍କ ବାସଭବନରେ ଚାଲିଥିବା ଏହି ଆଲୋଚନା ସମୟରେ ବିଜେପିର ପ୍ରଭାବଶାଳୀ ସାଂସଦ ନିଶିକାନ୍ତ ଦୁବେଙ୍କ ଉପସ୍ଥିତି ଏକ ବଡ଼ ସଙ୍କେତ ଦେଇଛି। ଅନେକ ଟିଏମ୍ସି ସାଂସଦ ମଧ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ ସରକାରକୁ ସମର୍ଥନ କରିବା ପାଇଁ ଖୋଲାଖୋଲି ଭାବେ ନିଜର ଇଚ୍ଛା ପ୍ରକାଶ କରିସାରିଛନ୍ତି।
ଟିଏମସି ସଂସଦୀୟ ଦଳରେ ଦୁଇ-ତୃତୀୟାଂଶ ସମର୍ଥନ ହାସଲ କରି ଦଳବଦଳ ବିରୋଧୀ ଆଇନରୁ ରକ୍ଷା ପାଇବା ପାଇଁ ବିଦ୍ରୋହୀ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରିଛନ୍ତି। ପୂର୍ବରୁ ୧୯ ଜଣ ସାଂସଦଙ୍କ ସ୍ବାକ୍ଷର ଥିବା ଏକ ଚିଠି ସାମ୍ନାକୁ ଆସିଥିବା ବେଳେ ଆଜି ସାଂସଦ କାକଳି ଘୋଷ ଦାବି କରିଛନ୍ତି ଯେ ବିଦ୍ରୋହୀ ଶିବିରରେ ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୨୨ ରେ ପହଞ୍ଚିଛି। ଟିଏମସିରୁ ଅଲଗା ହୋଇ ଲୋକସଭାରେ ଏକ ସ୍ବତନ୍ତ୍ର ସଂସଦୀୟ ଗୋଷ୍ଠୀ ଭାବେ ମାନ୍ୟତା ପ୍ରଦାନ କରିବାକୁ ବାଚସ୍ପତି ଓମ ବିର୍ଲାଙ୍କୁ ଆଜି ଆନୁଷ୍ଠାନିକ ଭାବେ ଅନୁରୋଧ କରାଯାଇଛି। ବର୍ତ୍ତମାନ ଟିଏମ୍ସି ସଙ୍କଟ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଥିବା ବେଳେ ଏହା ପଶ୍ଚିମବଙ୍ଗ ତଥା ଜାତୀୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସୂତ୍ରପାତ କରିବାକୁ ଯାଉଛି।
