କଟକ: ରବିବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରଚଣ୍ଡ ଘଡ଼ଘଡ଼ି ସହ ବଜ୍ରାଘାତ ଯୋଗୁଁ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବଜ୍ରାଘାତ ଫଳରେ ମନ୍ଦିରର ଦଧିନଉତି ଉପରେ ବିଜୁଳି ପଡ଼ିବାରୁ ଏହାର କିଛି ଅଂଶ ଭାଙ୍ଗି ଯାଇଛି।
ଆଜି ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବା ସହ ଜୋରରେ ଘଡ଼ଘଡ଼ି ମାରିଥିଲା। ଏହି ସମୟରେ ମନ୍ଦିରର ନିର୍ମାଣାଧୀନ ଉପର ଭାଗ ବା ଦଧିନଉତି ଉପରେ ବଜ୍ରାଘାତ ହୋଇଥିଲା। ଏହି ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ମନ୍ଦିର ପରିସରରେ ଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ କିଛି ସମୟ ପାଇଁ ଆତଙ୍କିତ ହୋଇପଡ଼ିଥିଲେ। ବଜ୍ରାଘାତ ଯୋଗୁଁ ନୂତନ ଭାବେ ନିର୍ମାଣ ହେଉଥିବା ମନ୍ଦିରର ଚୂଡ଼ା ବା ଦଧିନଉତିର କିଛି ଅଂଶ ଭାଙ୍ଗି ତଳେ ପଡ଼ିଥିବା ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରରେ ବଜ୍ରାଘାତ ପ୍ରତିରୋଧକ ବ୍ୟବସ୍ଥା (Lightning Arrester) କରାଯାଇ ନଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ କଟକ ମେୟର ସୁବାସ ସିଂ ତୁରନ୍ତ ମନ୍ଦିର ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ମେୟର ସେଠାରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମନ୍ଦିରର କ୍ଷତିଗ୍ରସ୍ତ ଅଂଶକୁ ଶୀଘ୍ର ମରାମତି କରିବା ସହ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ମେୟର କହିଛନ୍ତି ଯେ, “ମା’ କଟକ ଚଣ୍ଡୀଙ୍କ ପୀଠ କଟକବାସୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ। ମନ୍ଦିରର ସୁରକ୍ଷା ଓ ସଂରକ୍ଷଣ ପ୍ରତି ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ଗୁରୁତ୍ୱ ଦିଆଯିବ। କିପରି ଖୁବଶୀଘ୍ର ମରାମତି କାର୍ଯ୍ୟ ଶେଷ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ନିଆଯିବ।”
