ଆଇକନ ଫାର୍ମ ହାଉସ ଡକାୟତି ମାମଲା: ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ୭ ଗିରଫ

ରାଜ୍ୟ
Spread the love

କଟକ:ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ଘଟିଥିବା ଏକ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସକୁ ଏକ ବଡ଼ସଫଳତା ମିଳିଛି। ଡକାୟତିର ୨୪ ଘଣ୍ଟା ମଧ୍ୟରେ ଏଥିରେ ଜଡ଼ିତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀ, ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ମାମଲାର ବିବରଣୀ ଅନୁଯାୟୀ, ଚଳିତ ଜୁନ ୧୯ ରିଖ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ୬ ଜଣ ଦୁର୍ବୃତ୍ତ ଗୋକୁଳପଲ୍ଲୀ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ବାନ୍ଧି ପକାଇବା ସହ ଘରୁ ପ୍ରାୟ ୧୫ ତୋଳା ସୁନା ଅଳଙ୍କାର, ନଗଦ ୧୨,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଲୁଟ କରିନେଇଥିଲେ। ଏ ନେଇ ଅଭିଯୋଗ ହେବା ପରେ କେସ୍ ନଂ-୪୦୭, ଧାରା ୩୧୦(୨) ବିଏନଏସ ସହ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି କବିସୂର୍ଯ୍ୟନଗର ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ମାମଲାକୁ ଗୁରୁତର ସହ ଗ୍ରହଣ କରିଥିଲେ ଗଞ୍ଜାମ ଏସ୍.ପି। ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହି ମିଳିତ ଅପରେସନରେ କବିସୂର୍ଯ୍ୟନଗର ଥାନା, ପୋଲସରା ଆଇଆଇସି, ବାଲିପଦର ଆଉଟପୋଷ୍ଟ ଏବଂ ଆସ୍କା ଥାନାର କର୍ମଚାରୀମାନେ ସାମିଲ ହୋଇଥିଲେ । ବୈଜ୍ଞାନିକ ଦଳ ଓ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞଙ୍କ ସହାୟତାରେ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ଗୁଇନ୍ଦା ସୂଚନା ଆଧାରରେ କଙ୍କଣାଦେଇ ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା।
ଡକାୟତି ଘଟଣାର ମୁଖ୍ୟ ସୂତ୍ରଧର ସନ୍ତୋଷ ମହାପାତ୍ର ଓ ମନୋରଞ୍ଜନ ଗୌଡ଼ଙ୍କ ସମେତ ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତୀକୃଷ୍ଣ ନାୟକ ଏବଂ ରାଜୀବ କୁମାର ଦାସଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ସମେତ ଲୁଟ ସାମଗ୍ରୀ, ମୋବାଇଲ ଓ ୨ଟି ମୋଟରସାଇକେଲ ଜବତ ହୋଇଛି।
ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ହିତେଶ ସ୍ୱାଇଁ ଓ ଶ୍ୱେତା ଖଟେଇ ବର୍ତ୍ତମାନ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ାଉ ଜାରି ରଖିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇ ରିମାଣ୍ଡରେ ଆଣିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *