ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ସମ୍ଭାବନା

ରାଜ୍ୟ
Spread the love

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିପାରନ୍ତି। ଏହା ସହିତ ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସାଂଗଠନିକ ଟିମ୍‌ରେ ମଧ୍ୟ ପରିବର୍ତ୍ତନ ଘୋଷଣା ହେବାର ସମ୍ଭାବନା ରହିଛି। ଦଳ ଓ ସରକାରର ଶୀର୍ଷସ୍ତରରେ ଏନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି।
ସୂତ୍ର ଅନୁଯାୟୀ, ଏହି ପରିବର୍ତ୍ତନରେ କିଛି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇପାରେ, କିଛି ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ ଏବଂ କେତେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ବଦଳାଯାଇପାରେ। ସେହିପରି ବିଜେପିର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନେତୃତ୍ୱରେ ନୂଆ ସାଂଗଠନିକ ଟିମ୍‌ ଘୋଷଣା ହେବାର ସମ୍ଭାବନା ରହିଛି। ଏହି ଟିମ୍‌ରେ ଯୁବ ନେତାଙ୍କୁ ଅଧିକ ଗୁରୁତ୍ୱ ମିଳିପାରେ। ଗତ ସପ୍ତାହରେ ନିତିନ ନବୀନ କେତେକ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିବା କୁହାଯାଉଛି।
ଦଳର ସାଂଗଠନିକ ଦାୟିତ୍ୱରେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ପଠାଯାଇପାରେ। ସେହିପରି ବିଜେପିର ସାଂଗଠନିକ ପଦାଧିକାରୀମାନଙ୍କ ମଧ୍ୟରୁ କିଛି ନେତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ। ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ସିବିଏସ୍ଇ ଡିଜିଟାଲ ମୂଲ୍ୟାଙ୍କନକୁ ନେଇ ବିବାଦ ହୋଇଥିବାରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗରେ ପରିବର୍ତ୍ତନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ।
ଆସନ୍ତା ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ଥିବାରୁ ଏହି ରାଜ୍ୟଗୁଡ଼ିକର ନେତାଙ୍କୁ ମନ୍ତ୍ରିମଣ୍ଡଳରେ ଅଧିକ ପ୍ରତିନିଧିତ୍ୱ ଦିଆଯାଇପାରେ। ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ସେହି ରାଜ୍ୟର କିଛି ସାଂସଦଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ଏଥିସହ ବିଦ୍ରୋହୀ ତୃଣମୂଳ କଂଗ୍ରେସ ଓ ଶିବସେନା (ୟୁବିଟି) ଗୋଷ୍ଠୀର କିଛି ପ୍ରତିନିଧିଙ୍କୁ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା ଚାଲିଛି। ହେଲେ ଦଳବଦଳ ଆଇନ ଅନୁସାରେ ଲୋକସଭା ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଏହା ନିର୍ଭର କରିବ।
ଉତ୍ତର ପ୍ରଦେଶ ବିଜେପି ସଭାପତି ଭାବେ ପଙ୍କଜ ଚୌଧୁରୀ ଓ ଦିଲ୍ଲୀ ବିଜେପି ସଭାପତି ଭାବେ ହର୍ଷ ମଲହୋତ୍ରାଙ୍କ ନିଯୁକ୍ତି ପରେ ‘ଜଣେ ବ୍ୟକ୍ତି, ଗୋଟିଏ ପଦ’ ନୀତି ଅନୁଯାୟୀ ସେମାନେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଛାଡ଼ିପାରନ୍ତି। ଅନ୍ୟପକ୍ଷରେ ଜର୍ଜ କୁରିଆନ ରାଜ୍ୟସଭାକୁ ପୁନଃମନୋନୀତ ନ ହେବା ପରେ ଇସ୍ତଫା ଦେଇସାରିଛନ୍ତି। ରବନୀତ ସିଂହ ବିଟ୍ଟୁଙ୍କୁ ପଞ୍ଜାବ ରାଜନୀତିରେ ଅଧିକ ଦାୟିତ୍ୱ ଦିଆଯାଇପାରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟସ୍ତ ବିଦେଶ ଗସ୍ତକୁ ଦୃଷ୍ଟିରେ ରଖି ଜୁଲାଇରେ ମୌସୁମୀ ଅଧିବେଶନ ପୂର୍ବରୁ ଏହି ପରିବର୍ତ୍ତନ ହୋଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି। ତେବେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଏଭଳି ନିଷ୍ପତ୍ତି ଗୋପନ ରଖିବା ମୋଦୀଙ୍କ ଶୈଳୀ ହୋଇଥିବାରୁ ସରକାରୀ ଘୋଷଣା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *