ଭୁବନେଶ୍ବର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜନଜୀବନର ସୁରକ୍ଷା ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଓଡ୍ରାଫ)ର ନବକଳେବର କରାଯିବ। ଏଣିକି ଓଡ୍ରାଫକୁ ରାଜ୍ୟର ଏକ ପୂର୍ଣ୍ଣାଙ୍ଗ ଓ ସମ୍ପୂର୍ଣ୍ଣ ସମର୍ପିତ ଷ୍ଟେଟ ଡିଜାଷ୍ଟର ରେସପନ୍ସ ଫୋର୍ସ(SDRF) ଭାବେ ଉନ୍ନୀତ କରାଯାଇ ଏହାର ଦକ୍ଷତା ଓ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ୍ରାଫକୁ ରାଜ୍ୟର ‘ଏସଡିଆରଏଫ’ ଭାବେ ଉନ୍ନୀତ କରିବା ସମେତ ଓଡ୍ରାଫର କାର୍ଯ୍ୟଶୈଳୀ ଓ ଭିତ୍ତିଭୂମି ଆଦି ଉପରେ ଆଲୋଚନା ହୋଇଥିଲା। ସାମ୍ପ୍ରତିକ ପ୍ରତିକୂଳ ବନ୍ୟା ପରିସ୍ଥିତିରେ ଓଡ୍ରାଫର ଅତୁଳନୀୟ ସେବା ଓ ସାହସିକତାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରଶଂସା କରିଛନ୍ତି। ଓଡ୍ରାଫ୍ ଉଦ୍ଧାରକାରୀ ଦଳ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆହ୍ୱାନ ସମ୍ପର୍କରେ ମଧ୍ୟ ଆଲୋଚନା କରି ଆଗାମୀ ଦିନରେ ସେଥିନିମନ୍ତେ ପୂର୍ବପ୍ରସ୍ତୁତି ଭିତ୍ତିରେ ସଜାଗ ରହିବାକୁ ରାଜସ୍ୱ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ଓଡ୍ରାଫ ପାଇଁ ସ୍ୱତନ୍ତ୍ର ବାଟାଲିୟନ ଗଠନ, ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଓ ଓଡ୍ରାଫର ସମସ୍ତ କାର୍ଯ୍ୟପ୍ରଣାଳୀ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ଦିନରେ ଓଡ୍ରାଫର ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ପାଇଁ ରାଜ୍ୟରେ ଆଉ ୧୦ଟି ନୂଆ ୟୁନିଟକୁ ଯୋଡ଼ା ଯାଇ ମୋଟ ୩୦ଟି ଓଡ୍ରାଫ ୟୁନିଟକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଅବସ୍ଥାପିତ କରାଯିବ।
ପ୍ରସ୍ତାବିତ ବିପର୍ଯ୍ୟୟ ପରିଚାଳନା ଭବନରେ ଏହାର ମୁଖ୍ୟାଳୟ କାର୍ଯ୍ୟ କରିବ। ଓସଡମା ଓ ପୁଲିସ ବିଭାଗର ପରାମର୍ଶ ତଥା ସହଯୋଗରେ ଓଡ୍ରାଫର କାର୍ଯ୍ୟ, ପ୍ରଶିକ୍ଷଣ,ଆବଶ୍ୟକ ଭିତ୍ତିଭୂମି, ସରଞ୍ଜାମ ଓ ନିଯୁକ୍ତି ତଥା ମାନବସମ୍ବଳ ପରିଚାଳନାକୁ ଆଧାର କରି ଏକ ସମ୍ପୂର୍ଣ୍ଣ ଏସଓପି ପ୍ରସ୍ତୁତ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ବନ୍ୟା ପ୍ରଭାବିତ ୯ଟି ଜିଲ୍ଲାରେ ଓଡ୍ରାଫ ଟିମ୍ ଦିନରାତି ଏକ କରି ମୋଟ ୪୯୦ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ଉଦ୍ଧାର ଅଭିଯାନ ଜାରି ରଖିଥିଲେ। ୫୯ଟି ବୋଟ୍ ମାଧ୍ୟମରେ ୬୭୪ଜଣ ଯବାନ ପ୍ରାୟ ୫୮ଘଣ୍ଟାର ରାତ୍ରିକାଳୀନ ଅଭିଯାନ କରି ୧୩୯୩ଜଣଙ୍କୁ ଉଦ୍ଧାର କରିଥିଲେ। ସେଥିରେ ୮୫୨ଜଣ ପୁରୁଷ ଓ ୫୪୧ଜଣ ମହିଳା ସାମିଲ ଅଛନ୍ତି। କେବଳ ସେତିକି ନୁହେଁ ଓଡ୍ରାଫ ଟିମ୍ ୧୯ଜଣ ଗର୍ଭବତୀ, ୬ଜଣ ସାପ କାମୁଡ଼ା ରୋଗୀ ଓ ୨୧୩ଟି ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।ଏସବୁ ବ୍ୟତୀତ ଜରୁରୀକାଳୀନ ଡାକ୍ତରୀ ସେବା ସହ ରାସ୍ତାଘାଟରୁ ବିଶାଳ ଗଛ କାଟି ଯାତାୟତକୁ ଓଡ୍ରାଫ ଟିମ୍ ସ୍ୱାଭାବିକ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବିପର୍ଯ୍ୟୟ ପରିଚାଳନା ସଂଶୋଧନ ଆଇନ୍, ୨୦୨୫ ଅର୍ନ୍ତଗତ ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର୍ ରେସପନ୍ସ ଫୋର୍ସ୍ (SDRF) ସ୍ଥାପନ ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ବ୍ୟାପକ କରିବା ନିମନ୍ତେ ଅଧ୍ୟାଦେଶ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ପ୍ରତ୍ୟେକ ରାଜ୍ୟରେ ଏସଡିଆରଏଫ ଗଠନ ସହ ଏହାର କାର୍ଯ୍ୟପ୍ରଣାଳୀ, ତାଲିମ୍ ପ୍ରକ୍ରିୟା, ପରିଚାଳନା ସମ୍ପର୍କିତ ବିସ୍ତୃତ ରୂପରେଖ ମଧ୍ୟ ଗୃହୀତ ହୋଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଓଡ୍ରାଫକୁ ରାଜ୍ୟର SDRF ଭାବେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ସମ୍ପୂର୍ଣ୍ଣ ସମର୍ପିତ ବାହିନୀ ଭାବେ ଦାୟିତ୍ୱ ଓ କ୍ଷମତା ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
