Supremecourtwikimediacommons 1068x665

ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ଛାତ୍ରଛାତ୍ରୀଙ୍କ ବିରୋଧରେ ଥିବା ସମସ୍ତ FIR ରଦ୍ଦ

ଦେଶବିଦେଶ
Spread the love

ନୂଆଦିଲ୍ଲୀ  :  ନିଟ୍ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ।  ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ବିରୋଧରେ ସମସ୍ତ FIR ରଦ୍ଦ। ଦେଶବ୍ୟାପୀ ରୁଜୁ ସମସ୍ତ FIR ରଦ୍ଦ କଲେ ସର୍ବୋଚ୍ଚ ଅଦାଲତ। ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ଅସାଧାରଣ କ୍ଷମତା ପ୍ରୟୋଗ କରି ଛାତ୍ରଛାତ୍ରୀଙ୍କ ବିରୋଧରେ ଥିବା ସମସ୍ତ FIR ରଦ୍ଦ କଲେ ସୁପ୍ରିମକୋର୍ଟ। ନିଟ୍ ପରୀକ୍ଷା ବିବାଦ ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି।

ଆଜି ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା ସ୍ୱତନ୍ତ୍ର ତଥା ଅସାଧାରଣ କ୍ଷମତା ପ୍ରୟୋଗ କରି ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ଦେଶର ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ସମସ୍ତ ଏଫ୍ ଆଇଆର୍ କୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ ଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ନିଜ ଭବିଷ୍ୟତ ଏବଂ ପରୀକ୍ଷା ସଂସ୍କାର ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅପରାଧୀ ଭାବେ ବିଚାର କରାଯାଇ ପାରିବ ନାହିଁ।

ସେମାନଙ୍କ କ୍ୟାରିୟର ଏବଂ ଶିକ୍ଷାଗତ ଭବିଷ୍ୟତ ଯେପରି ପ୍ରଭାବିତ ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ ଏହି ପଦକ୍ଷେପ ନେଇଛନ୍ତି। ​ଗତ ଜୁଲାଇ ମାସରେ ଦିଲ୍ଲୀର ଯନ୍ତରମନ୍ତର ସମେତ ବିଭିନ୍ନ ସ୍ଥାନରେ ଛାତ୍ର ସଂଗଠନ ଓ ପରୀକ୍ଷାର୍ଥୀଙ୍କ ଦ୍ୱାରା ବ୍ୟାପକ ବିକ୍ଷୋଭ କରାଯାଇଥିଲା। ଏହି ଘଟଣାରେ ଦିଲ୍ଲୀ ପୋଲିସ ଦ୍ୱାରା ରୁଜୁ ହୋଇଥିବା ୧୩ଟି ଏଫ୍ ଆଇଆର୍ ସମେତ ପଶ୍ଚିମବଙ୍ଗ, ଆସାମ, ବିହାର ତଥା ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ଖାରଜ କରାଯାଇଛି।

ଏଥିସହ ଏହି ଆନ୍ଦୋଳନ ସମ୍ପର୍କରେ ଛାତ୍ରମାନଙ୍କ ବିରୋଧରେ ଆଗକୁ କୌଣସି ନୂଆ ଏଫ୍ ଆଇଆର୍ ରୁଜୁ ନ କରିବା ପାଇଁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ​ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆନ୍ଦୋଳନ ଆଳରେ ହିଂସାକାଣ୍ଡ, ସମ୍ପତ୍ତି ନଷ୍ଟ କିମ୍ବା ଗୁରୁତର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ ଜାରି ରହିବ।

Leave a Reply

Your email address will not be published. Required fields are marked *