ଜଗତସିଂହପୁର : ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାରମ୍ବାର ବାଇକ୍ ଚୋରି ଘଟଣା ଏବେ ସାଧାରଣ ଲୋକ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଗୋଟିଏ ପଟେ ମେଡିକାଲଠାରୁ ମାତ୍ର ୨୦୦ ମିଟର ଦୂରରେ ଏସପିଙ୍କ କାର୍ଯ୍ୟାଳୟ, ଅନ୍ୟପଟେ ୨୦୦ ମିଟର ଦୂରରେ ଟାଉନ୍ ଥାନା ଏବଂ ମେଡିକାଲ ପରିସରରେ ନିଜସ୍ୱ ଫାଣ୍ଡି ରହିଥିବା ସତ୍ତ୍ୱେ ଏଭଳି ଚୋରି ଘଟଣା ପୁଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରାପ୍ତ ଖବର ଅନୁଯାୟୀ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ମୂଳିସିଂହ ଗ୍ରାମର ବିନୋଦ କୁମାର ନନ୍ଦୀ ଗତ ୮ ତାରିଖରେ ନିଜ ହିରୋ ଏଚ୍ଏଫ୍ ଡିଲକ୍ସ ବାଇକ୍ (OD 33 AH 6762) ଯୋଗେ ଡାକ୍ତର ଦେଖାଇବା ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ବାଇକଟିକୁ ଷ୍ଟାଣ୍ଡରେ ରଖି ଡାକ୍ତର ଦେଖାଇ ଫେରିବା ପରେ ଗାଡ଼ିଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ବିନୋଦ ସେହିଦିନ ହିଁ ମେଡିକାଲ ସିସିଟିଭିରୁ ଚୋରର ସ୍ପଷ୍ଟ ଫଟୋ ଓ ଭିଡିଓ ଫୁଟେଜ୍ ସଂଗ୍ରହ କରି ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ସହ ପ୍ରଦାନ କରିଥିଲେ।
ତେବେ ଠୋସ୍ ପ୍ରମାଣ ଥାଇ ମଧ୍ୟ ପୁଲିସ ୧୨ ଦିନ ଧରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅଭିଯୋଗର ୧୨ ଦିନ ପରେ (୨୦ ତାରିଖରେ) ପୁଣି ଏକ ନୂତନ ଏତଲା ଦେବାକୁ କହିବା ସନ୍ଦେହ ସୃଷ୍ଟି କରିଛି। ପୂର୍ବ ଅଭିଯୋଗ ପତ୍ରକୁ ଜାଣିଶୁଣି ହଜାଇ ଦିଆଯାଇଛି କି ମାମଲାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି, ସେ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଗତ ୨୦ ତାରିଖରେ ପ୍ରଦତ୍ତ ଏତଲା ଭିତ୍ତିରେ ପୁଲିସ କେସ୍ ନଂ ୬୦୨ ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏଯାବତ୍ ଚୋରକୁ ଧରିବାରେ ବିଫଳ ହୋଇଛି। ଅପରପକ୍ଷରେ, ୧୦ ତାରିଖରେ ବାଲିକୁଦା ଅଞ୍ଚଳର ପ୍ରଦୀପ କୁମାର ଖଟୁଆଙ୍କ ବାଇକ ଚୋରକୁ ଧରି ପୁଲିସ ବାହାବାହା ନେଉଥିବା ବେଳେ ବିନୋଦଙ୍କ କ୍ଷେତ୍ରରେ କାହିଁକି ଏଭଳି ଉଦାସୀନତା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଶେଷରେ ନ୍ୟାୟ ପାଇଁ ବିନୋଦ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁରକ୍ଷା ବଳୟ ଭିତରେ ଥାଇ ଚୋରମାନେ ବାରମ୍ବାର ଗାଡ଼ି ଲୁଟୁଥିବାରୁ ପୁଲିସ ଓ ଚୋରଙ୍କ ଭିତରେ ମଧୁଚନ୍ଦ୍ରିକା ରହିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
