ସାଲେପୁର : ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜନ୍ମମାଟି ସାଲେପୁରଠାରେ ପଞ୍ଚମ ‘ସାଲେପୁର ସାହିତ୍ୟ ମହୋତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇ ଉଦ୍ଯାପିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏହି ମହାମିଳନରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା।
ପ୍ରସ୍ତାବିତ ସାଲେପୁର ‘ବରପୁତ୍ର ଭବନ’ ପରିସରରେ ଆଞ୍ଚଳିକ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଏକ ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ବିଭିନ୍ନ ବରପୁତ୍ରଙ୍କ ଜନ୍ମଭୂମିରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ବିଶେଷ କରି ‘ଦ୍ୱିତୀୟ ଶ୍ରୀଚୈତନ୍ୟ’ ଭାବେ ପରିଚିତ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁଙ୍କ ଜନ୍ମସ୍ଥାନ କଟରପଡ଼ାରୁ ପବିତ୍ର ମାଟି ସଂଗ୍ରହ କରାଯାଇ ‘ରାଷ୍ଟ୍ରୀୟ ନାମ କୀର୍ତ୍ତନ-ସଂକୀର୍ତ୍ତନ ମହାସଂଘ’ ପକ୍ଷରୁ ଉଦଣ୍ଡ ସଂକୀର୍ତ୍ତନ ସହ ସାଲେପୁର ସହର ପରିକ୍ରମା କରାଯାଇଥିଲା। ପରେ ଏହି ମାଟିକୁ ସାହିତ୍ୟ ମହୋତ୍ସବ ମଣ୍ଡପରେ ସ୍ଥାପନ କରାଯିବା ସମୟରେ ଏକ ଅତ୍ୟନ୍ତ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ‘ସଂକୀର୍ତ୍ତନ ମହାସଂଘ, ଓଡ଼ିଶା’କୁ ପ୍ରତିଷ୍ଠିତ ‘ଦ୍ୱିତୀୟ ଶ୍ରୀଚୈତନ୍ୟ କୀର୍ତ୍ତନଗୁରୁ ନାମାଚାର୍ଯ୍ୟ ଯଦୁମଣି ସ୍ୱାଇଁ ସ୍ମାରକୀ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ସମ୍ମାନ’ ପ୍ରଦାନ କରାଯାଇଥିଲା। ମହାସଂଘର ସମ୍ପାଦକ ସୁଦର୍ଶନ ଚମ୍ପତ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଏହି ସମ୍ମାନ ଗ୍ରହଣ କରିଥିଲେ। ସେହିପରି ବିଶିଷ୍ଟ ଆଧ୍ୟାତ୍ମିକ କବି, ଶ୍ରୀଜଗନ୍ନାଥ ଚେତନା ଗବେଷକ ତଥା ଶ୍ରୀଜଗନ୍ନାଥ ଚେତନା ମହାସତସଙ୍ଗର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ ପ୍ରଫେସର (ଡଃ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ସମ୍ମାନଜନକ ‘ମହାପୁରୁଷ ଅଚ୍ୟୁତାନନ୍ଦ ଚେତନା ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ଡକ୍ଟର ତରୁଲତା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସଭାକୁ ସାମ୍ବାଦିକ ତଥା ମହୋତ୍ସବର ଆବାହକ ଅକ୍ଷୟ କୁମାର ଦାଶ ସଂଯୋଜନା କରିଥିଲେ। ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଏବଂ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ଆୟୋଜକଙ୍କ ଏଭଳି ସାରସ୍ୱତ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ।
ମହୋତ୍ସବର ଅନ୍ୟତମ ଆକର୍ଷଣ ଥିଲା ବୃହତ୍ କବି ସମ୍ମିଳନୀ, ଯେଉଁଥିରେ ୫୦ରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବହୁ ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ, ସମାଜସେବୀ, ନୃତ୍ୟଶିଳ୍ପୀ, ସଙ୍ଗୀତକାର ଓ ଗାଳ୍ପିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ଆଧ୍ୟାତ୍ମିକ ପ୍ରଚାରକ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।
