ଥାନାରୁ ଜନଶୁଣାଣି ଦଉଡ଼ି ଦଉଡ଼ି ନୟାନ୍ତ ବିନୋଦ: ସିସିଟିଭି ଫୁଟେଜ୍ ଥାଇ ବି ମିଳୁନି ଚୋରି ବାଇକ୍, ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  :  ଥାନାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ଦଉଡ଼ି ଦଉଡ଼ି ନୟାନ୍ତ ହେଲେଣି ଗରିବ ବ୍ୟବସାୟୀ। ପ୍ରମାଣ ସ୍ୱରୂପ ସିସିଟିଭି ଫୁଟେଜ୍ ଦେବା ସତ୍ତ୍ୱେ ଚୋରି ବାଇକ୍ ଉଦ୍ଧାର କରିବାରେ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଭଳି ଏକ ଘଟଣା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ତିର୍ତ୍ତୋଲ ବ୍ଲକ ମୂଳିସିଂହ ପଞ୍ଚାୟତ ଅନ୍ତର୍ଗତ ସହରହାଟରେ ଏକ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି ବିନୋଦ କୁମାର ନନ୍ଦୀ। ଗତ ଅଗଷ୍ଟ ୮ ତାରିଖ ଦିନ ସେ ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ଥିବା ପାର୍କିଂ ସ୍ଥଳରେ ନିଜ ବାଇକ୍ ରଖି ଉଭୟ ମେଡିକାଲ କାମ ସାରି ଫେରିବା ପରେ ଗାଡ଼ିଟି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ।

ଏ ନେଇ ଶ୍ରୀ ନନ୍ଦୀ ତୁରନ୍ତ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ଚୋରି ସମ୍ପର୍କିତ ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସକୁ ପ୍ରଦାନ କରିଥିଲେ। ମାତ୍ର ବାରମ୍ବାର ଥାନାକୁ ଦଉଡ଼ିବା ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିଲା। ଥାନାରୁ ନିରାଶ ହୋଇ ସେ ଗତ ୭ ତାରିଖରେ ରଘୁନାଥପୁର ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିରରେ ନିର୍ଦ୍ଧାରିତ ଫର୍ମ ଯୋଗେ ଅଭିଯୋଗ କରିଥିଲେ। ତଥାପି କୌଣସି ସୁଫଳ ନମିଳିବାରୁ ଗତ ସୋମବାର (୨୧ ତାରିଖ) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଜନଶୁଣାଣିରେ ପୁଣି ଥରେ ସସ୍ତ୍ରୀକ ଉପସ୍ଥିତ ହୋଇ ଲିଖିତ ଗୁହାରି ଜଣାଇଥିଲେ।

ଜିଲ୍ଲାପାଳ ଉଭୟ ଅଭିଯୋଗକୁ ଗ୍ରହଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ତେବେ ଘଟଣାକୁ ଦୀର୍ଘ ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ଏବଂ ସ୍ପଷ୍ଟ ସିସିଟିଭି ଫୁଟେଜ୍ ଉପଲବ୍ଧ ଥାଇ ମଧ୍ୟ ବାଇକ୍ ଉଦ୍ଧାର ନହେବା ପୋଲିସର ପାରିବାପଣିଆ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଦର ମେଡିକାଲ ପରିସରରୁ ବାରମ୍ବାର ଗାଡ଼ି ଚୋରି ହେଉଥିବା ବେଳେ ପ୍ରଶାସନର ଏଭଳି ନିଷ୍କ୍ରିୟତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *