କଟକ ସଦର: କଟକ ସଦର ବ୍ଲକ୍ ଅନ୍ତର୍ଗତ ବୋଧପୁର ଗ୍ରାମର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର ପରିସରରେ ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ତଥା ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପଠନ, ଶ୍ରବଣ, ପ୍ରବଚନ ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରଦ୍ଧାଳୁଙ୍କ ହରିବୋଲ ଓ ମହିଳାମାନଙ୍କ ହୁଳହୁଳି ଧ୍ୱନିରେ ସମଗ୍ର ଅଞ୍ଚଳ ଏକ ଭାବମୟ ତଥା ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡ଼ିଥିଲା। ଏହି ଧାର୍ମିକ ଉତ୍ସବରେ ଶତାଧିକ ଭକ୍ତ ଓ ଗ୍ରାମବାସୀ ଉପସ୍ଥିତ ରହି ଦର୍ଶନ ସହିତ ପ୍ରଭୁଙ୍କ କୃପା ଲାଭ କରିଥିଲେ।
ମୁଖ୍ୟ ପୂଜକ ପଣ୍ଡିତ ବସନ୍ତ ରଥ, ରୋସନ ରଥ ଓ ଅଭୀତ ରଥ ପ୍ରମୁଖ ପଣ୍ଡିତ ମଣ୍ଡଳୀଙ୍କ ତତ୍ତ୍ୱାବଧାନରେ ବିଧି ମୁତାବକ ପୂଜାର୍ଚ୍ଚନା ଏବଂ ପବିତ୍ର ହୋମ ଯଜ୍ଞ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
